Unknown

 

 

 

 

 

 

 

 

 

 

 

ମାଲ୍ୟଗିରି

ଶ୍ରୀ ବିଶ୍ଵନାଥ ରଥ କାବ୍ୟତୀର୍ଥ

 

ଭକ୍ତି ନିବେଦନ

 

ଉତ୍କଳ ସାହିତ୍ୟ-ଗୌରବ-ବର୍ଦ୍ଧକ

କବି ରାଧାନାଥହେ ଗୁଣ ଗ୍ରାହକ ।

ସାହିତ୍ୟ-ସାଗର-ମନ୍ଥନ-ମନ୍ଦର

ଥିଲା ହୃଦ ତବ ହେ ଗୁଣସାଗର ।

ଲଭିଥିଲ ମନ୍ଥି ଯେଉଁ ଜ୍ଞାନ-ସୁଧା

ଧବଳିଲ ତାରେ ଉତ୍କଳ ବସୁଧା ।

ସାହିତ୍ୟ ଜଗତେ ଯୋଗ୍ୟତା ଦେଖାଇ

ପ୍ରାଚୀନ ଶୃଙ୍ଖଳା ଦେଲ ଉଲଟାଇ ।

ନବ ଯୁଗେ ନବ-ସାହିତ୍ୟ-ମମତା

ପ୍ରଦର୍ଶିଲା ତବ ଲେଖନୀ କ୍ଷମତା ।

ଅନୁସରି ତବ ପଥ କେତେ ସୂରି

ଦେଖାନ୍ତି କବିତ୍ୱ-ଛଟା ବାହାଦୂରି ।

ଗୁରୋ ତବ ଦିବ୍ୟ ସରଳ ହୃଦୟ

ସ୍ମରନ୍ତେ, ମୋ ମନ ଶୋକରେ ଅଥୟ ।

ଦେଉଥିଲ କେତେ ଶିକ୍ଷା କଥା-ଚ୍ଛଳେ

ଭୁଲି କି ପାରିବି ଜନ୍ମ ଜନ୍ମାନ୍ତରେ ।

କରିଥିଲି ଆଶା ଆଉ କେତେ କାଳ

‘‘ଲମ୍ୱାଇବି ଗଳେ ଉପଦେଶ ମାଳ’’ ।

ଦାରୁଣ ବିଧାତା ନ ସହିଲା ତାହା,

ଜାଣେ ମୋର ମନ ହେଉଅଛି ଯାହା ।

ମାଲ୍ୟଗିରି ଦେଖି ସାହିତ୍ୟ ବିନ୍ଧାଣି

ଗଲ ଛାଡ଼ି ଯେଉଁ ଟିପା ରତ୍ନ ଆଣି ।

ଉତ୍କଳ ସାହିତ୍ୟେ ଦେଖି ସେ ରତନ

ଘାଣ୍ଟିହେଲା ମୋର ମହା ଦୁଃଖେ ମନ ।

ସେ ରତ୍ନ ମାନସେ ଗଣ୍ଠିଧନ କରି

ଦେଖିବାକୁ ଗଲି ମୁଁ ମାଲ୍ୟ ଶିଖରି ।

ନୃପ-କୃପା-ବଳେ ଯଥାବିଧି ଦେଖି

ନେଇ ତବ ଟିପା ବସିଲି ମୁଁ ଲେଖି ।

ଧରନ୍ତେ ଲେଖନୀ ସ୍ମରି ନାମ ତବ

ପ୍ରସରିଲା ମୋର ବଚନ-ବିଭବ ।

ସ୍ଫୁରିଲା ମାନସେ କେତେ ନବ ଭାବ,

ଗୁରୋ ସେହି ତବ ଆଶିଷ ପ୍ରଭାବ ।

କିପରି ଲେଖିଲି ? କବିତ୍ୱ ନ ଥାଇ,

ତବ ଆତ୍ମା ଆସି ଦେଲା କି ବତାଇ ?

ଦିଅ ଗୁରୋ ନିଜ-ଗୁଣେ ଏହି ବର

ପୁରୁ ବାଞ୍ଛା ତବ କଲ୍ୟାଣେ ମୋହର ।

 

ବିନୟାବନତ,

ବିଶ୍ୱନାଥ ରଥ

Image

 

ଉତ୍ସର୍ଗ ପତ୍ର

 

ହେ ନୃପ ତିଳକ ଗଣେଶ୍ୱର-ପାଳ

ପଡ଼ୁଛି କି ମନେ ସେ ଉତ୍ସବ କାଳ ?

ଝର ଝଙ୍କାରିତ ମାଲ୍ୟ ଗିରି ତଳ,

ବହେ ଗନ୍ଧବହ ଯହିଁ ସୁଶୀତଳ ।

ଥିଲେ ଚଉପାଶେ ପାତ୍ର ମିତ୍ର ବେଢ଼ି

ଦେଖାଇଲ ରତ୍ନ ଡ଼ି ଜ୍ଞାନ-ପେଡ଼ି ।

ପ୍ରାଚୀନ ସାହିତ୍ୟ ଜ୍ଞାନ ଠାବେ ଠାବେ

ଦେଖି ବିସ୍ଫାରିଲା ପ୍ରାଣ ଦିବ୍ୟ-ଭାବେ ।

ଛାନ୍ଦ ବୋଲା ଭଙ୍ଗି ଖେଳାଇଣ ଡୋଳା

ବିଲୋକନେ ମତି ମହାନନ୍ଦେ ଭୋଳା ।

ଆହା କି ସାହିତ୍ୟ ଜ୍ଞାନଦର୍ଶି-ଛଟା

ମିଶିଥାଏ ତହିଁ ପୁଣି କେତେ ଥଟା ।

ନାହିଁ ଶକ୍ତି ମୋର କେଉଁ ଉପହାରେ

ତୋଷିବି ଛାମୁଙ୍କୁ ହୃଦୟେ ବିଚାରେ ।

ଦେଖାଇଲ ଯେଉଁ ଭକତି ମୋ ପ୍ରତି

କି ବୋଲି ବର୍ଣ୍ଣିବି ହେ ଲହଡ଼ା ପତି ।

ଆହା କି ସରଳ ହୃଦୟ ନିର୍ମ୍ମଳ

ସ୍ପର୍ଶି ନାହିଁ ବାରେ ଭବ-କୂଟ-ମଳ ।

ଜାଣେ ନାହିଁ ତବ ହୃଦ ଅହଙ୍କାର

ପ୍ରଜାପୁଞ୍ଜ-ଚିର-ବିଶ୍ୱାସି ଉଦାର ।

କବିତା କାନନୁଁ ମାଲ୍ୟଗିରି ପୁଷ୍ପ

ସମର୍ପଇ ତୋଳି କରାମ୍ୱୁଜେ ଭୂପ !

ନୁହେଁ ଯଦି ତବ ଯୋଗ୍ୟ ଉପାୟନ

ମାଲ୍ୟଗରି ସ୍ନେହେ କରିବ ଗ୍ରହଣ ।

କରିଅଛି କେତେ ତ୍ରୁଟି ମନ୍ଦ ବୁଦ୍ଧି

ନିଜ ଗୁଣେ କ୍ଷମ ହେ କ୍ଷମା-ଅମ୍ୱୁଧି ।

 

ସଦା ଅଭ୍ୟୁଦୟାକାଙ୍କ୍ଷୀ

ଶ୍ରୀ ବିଶ୍ୱନାଥ ରଥ କାବ୍ୟତୀର୍ଥ

Image

 

ମାଲ୍ୟଗିରି

 

ଉତ୍କଳ ସୁଷମା ଗୌରବ ଆଧାର

ତୁହି ମାଲ୍ୟଗିରି ପ୍ରକାଣ୍ଡ ଆକାର ।

କବିଙ୍କର ତୁହି ସମ୍ୱଳ ପ୍ରଧାନ

ଯୋଗିବରଙ୍କର ଉଚିତ ଆସ୍ଥାନ ।

ତୋର ତରୁ-ଲତା-ଗୁଳ୍ମ-ଶୋଭା-ରାଶି

ଦର୍ଶନେ ଆନନ୍ଦେ ହୃଦ ଯାଏ ଭାସି ।

ଶୋଭାର ଆଶ୍ରମ ତୋ-ଚାରୁ-ଶିଖର

ବିହରଣ ସ୍ଥଳ-ଅପସରୀଙ୍କର ।

ନିସର୍ଗ ସୁନ୍ଦର ତୋ-ରମ୍ୟ କନ୍ଦରା

ବନଦେବୀଙ୍କର କୁଟୀ ମନୋହରା ।

ବିଶୁଷ୍କ ଶୈବାଳ ଶୁଭ୍ର ଶିଳାରାଶି

ଦିଶେ ଯେହ୍ନେ ତୋର ତୁଷାର ବିଭାସୀ ।

ତୋ-ବିଶାଳ-ଶିଳା-ଆବୃତ ଗହ୍ୱର

ନରବାସୋଚିତ ନିଳୟ ସୁନ୍ଦର ।

ଦୂରୁଁ ଚାରୁ ଅଙ୍ଗ ଦେଖନ୍ତେ ତୋହର

ମାରକତ ସ୍ତୂପ ପ୍ରାୟେ ମନୋହର ।

ଅତୁଳ ତୋହର ଶୋଭା ଗଉରବ,

ବର୍ଣ୍ଣିବାକୁ କାହିଁ ମୋହର ବିଭବ ?

କର କୃପା ବାରେ ଦେବୀ ବୀଣାପାଣି

ଗିରୀନ୍ଦ୍ର-ବର୍ଣ୍ଣନେ ପ୍ରସରୁ ମୋ-ବାଣୀ ।

ବହୁଦିନ ଭ୍ରମି ଭ୍ରମି ଭୂମଣ୍ଡଳେ

ଦେଖିଲି ଏ ସ୍ଥାନ ବହୁ ପୁଣ୍ୟ ବଳେ ।

ଗିରି ଦେହେ ରାଜେ ଅସଂଖ୍ୟ ଗହ୍ୱର

କୁରଙ୍ଗ କୁରଙ୍ଗୀ ବିଳାସ ଚତ୍ୱର ।

ଶଙ୍ଖ ଝଲମଲ ମସୃଣ ପାଷାଣ

ଶୋହେ ଯେହ୍ନେ ଗିରି-ଗୌରବ ନିଷାଣ ।

ବିଟପି-ବିଟପ-ଆଶ୍ରୟି ବ୍ରତତୀ

ସୁଷମା ଦର୍ଶନେ ଆନନ୍ଦିତ ମତି ।

କି ବର୍ଣ୍ଣିବି ତୋର ଶଇଳ ରାଜନ

ତୋ-ଶୋଭା ଦର୍ଶନେ ଲାଖଇ ନୟନ ।

ଚିର ପିପାସିତ ହୃଦୟ-ବାସନା

ସଫଳିଲା ଆଜି ମୋର ଗିରିରଣା ।

ପାଦ ଦେଶୁଁ ଚାଲି ଚାଲି ଏକ ଯାମ

ଆରୋହିଲି ଶୁଭେ ତୋ ଶିଖର ଧାମ ।

ସଦା ଯହିଁ ଶୀତ-ଋତୁ ରାଜପଣ,

ଖଟେ ପୁଣି ତାକୁ ମନ୍ଦ ସମୀରଣ ।

ଜଳେ ଅନାଦର, ଅନଳେ ଆଦର,

ନ ବାଧଇ ଯହିଁ ଚଣ୍ଡ ରବିକର ।

ଶୀତର ପ୍ରତାପ ଦେଖି ତୋ-ଶିଖରେ

ଭାବିଲି ‘‘ଅକାଳେ ମାଘ କି ସଞ୍ଚରେ’’ ?

ଶୀତେ ଅବୟବ ଥରଥରେ ଥରେ,

ହୁଏ ଘନୀଭୂତ ତପ୍ତ ଘୃତ ଖରେ ।

ଅଙ୍ଗ ଲୋଡ଼େ ସଦା ଅଙ୍ଗ-ତ୍ରାଣ-ସୁଖ,

ଖୋଲା ଦେହେ ଶୀତ-ବାତେ ବହୁ ଦୁଃଖ ।

ହେ ଗିରୀନ୍ଦ୍ର ଦେଖି ତୋ-ଦିବ୍ୟ-ପ୍ରତାପ

ଦର୍ଶଇ ନାହିଁକି ରବି ତାର ତାପ ?

ତୋ-ଅଗ୍ର-ଆଶ୍ରମେ ପାନ୍ଥେ ଧୂନି ଜାଳି

ନିବସନ୍ତି ସୁଖେ ତୋ-ମହିମା ଭାଳି ।

ତଳେ ଦେଖିଥିଲି ଯେ ବଡ଼ ପାହାଡ଼,

ତୋ-ଶିଖରୁଁ ଦିଶେ ଯେହ୍ନେ ବୁଦା ବାଡ଼ ।

ମହାଦ୍ରୁମ ଦିଶେ ଯେହ୍ନେ ଘାସ-ବୁଦା

ତୁଙ୍ଗ ଶୈଳ ଦିଶେ ଯେହ୍ନେ ମାଟି-କୁଦା ।

ତୋ-ଶିଖରୁଁ ସମ-ତଳ ଦିଶେ ଧରା,

ଖାଲ ଢିପ ତହିଁ ନ ପଡ଼ଇ ଧରା ।

କାହିଁ ଧଳା, କାହିଁ ନେଳି, କାହିଁ କଳା,

କାହିଁ ରଙ୍ଗ ପୁଣି ଦିଶେ ବସୁନ୍ଧରା ।

ଦର୍ଶନେ ଆନନ୍ଦେ ହୃଦ ଯାଏ ପୁରି

ତୁଳିବାକୁ କାହିଁ କବିବାହାଦୂରି ?

ବିହିଛି ବିଧାତା କିବା ଭାଳି ଭାଳି

ପ୍ରକୃତି ଦେବୀର ନ୍ୟାୟବଳ ପାଲି ?

କଳା ଧଳା ନେଳି ରଙ୍ଗ କ୍ଷେତ୍ର ଆଳି

ଅଟେ ତାର ନାନା ବର୍ଣ୍ଣଶୋଭୀ ପାଲି ।

ଦିଶେ ତହିଁ ପୁଣି ଯେ ଗୋଟି ଗୋଟିଆ

ମହାଦ୍ରୁମ ଆଳି, ସେ ତାର ବୁଟିଆ ।

ହାତୀ, ଘୋଡ଼ା, ନୌକା, ପାହାଡ଼ ନିକର,

ରାଜା, ମନ୍ତ୍ରୀ, ବଡ଼ ବଡ଼ ମହୀଧର ।

ଶୋଭା-ରାଣୀ-ସଙ୍ଗେ ଖେଳଇ ପ୍ରକୃତି,

ଆହା କି ଅପୂର୍ବ ବିଶ୍ୱ-ଶିଳ୍ପି-କୃତି ?

କେତେ ପ୍ରଜାପତି ରୂପ-ମନୋହରା

ଉଡ଼ନ୍ତି ଶିଖରେ ନାନା ରଙ୍ଗଧରା ।

ଭ୍ରମର କେବେ ବା ଭ୍ରମଇ ଭ୍ରମରେ

ମଲ୍ଲୀ ଭ୍ରମେ ଚୁମ୍ୱେ ଘାସ ସୁମନରେ ।

ବାସଭୂଷା ବିନୁଁ ତାକୁ ପରିହରି

ପଳାଏ ତୋ-ବକ୍ଷେ ଗୁଞ୍ଜରି ଗୁଞ୍ଜରି ।

ବାୟୁ-ବଳେ ତୋର ନଭେ ଶଙ୍କି ଶଙ୍କି

ଉଡ଼ଇ ଶିଖରେ ଜରିପକ୍ଷ କଙ୍କି ।

ଶାଖାମୃଗେ କେବେ କେବେ ତୋ-ଶିଖରେ

ବିହରନ୍ତି ସୁଖେ ମାତି ପ୍ରେମଭରେ ।

ଶୋଭଇ ଶିଖରେ ପ୍ରଚୁର ପନସି

ରଜ୍ଜୁ ଯାର ମତ୍ତ-ଇଭ-ଗର୍ବ୍ବ-ଧ୍ୱଂସି ।

ଠାବେ ଠାବେ କାହିଁ ହୋଇ ଅଛି ଠିଆ

ଛତ୍ରାକୃତି ଚାରୁ ପାଦପ ରୁଢ଼ିଆ ।

ତୋ ଅଗସ୍ତି ଗୁମ୍ଫା-ସମ୍ମୁଖେ କାମିନୀ

ବରି ଅଛି ଜାମୁ ବସନ୍ତ ହାସିନୀ ।

ପଶିଲି ଆହାବି ସେ ଗୁମ୍ଫା ଭିତର

ସଙ୍ଗତେ ଲାଣ୍ଠନ, ବେନି ସହଚର ।

ବାରୁଣୀ ଆଶାରେ କିଛି ଦୂର ଯାଇ

ଗମିଲି ଉତ୍ତରେ ମସ୍ତକ ନୂଁଆଇଁ ।

ନିମ୍ନୁଁ ନିମତର ଦିଶେ ସେ ବିମ୍ୱର

ବଢ଼ିଲା କ୍ରମଶଃ ମୋ ମାନସେ ଦର ।

ବେନି ପାର୍ଶ୍ୱେ ଶୋଇ ଶିଳାଭିତ୍ତି ମାଡ଼ି

ଫେରି ମୁଁ ଆସିଲି ପିଛାଡ଼ି ପିଛାଡ଼ି ।

ଦ୍ୱାର ଦେଶେ ଆସି ଉଭା ଖରତର,

ବୁକୁ ଦାଉଁ ଦାଉଁ, କମ୍ପେ କଳେବର ।

ତହୁଁ ଶିଖରାଗ୍ରେ ଗଲିମୁଁ ଆରୋହି

ବିଲୋକିଲି ଦୃଶ୍ୟ ମନୋନେତ୍ରମୋହି ।

ସେ ଅଗ୍ର ଶିଖରୁଁ ବସୁନ୍ଧରା-ତଳ

ଦିଶେ ଯେହ୍ନେ ବଳି-ସଦ୍ମ ରସାତଳ ।

ଧରାତଳ ତହୁଁ ଦିଅନ୍ତେ ଅନାଇଁ

ଭ୍ରମ-ବାତ ମଥା ପକାଏ ଘୁରାଇ ।

ଟିପ ଥର ଥର, ଖସି ଯାଏ ପଦ,

ହୁଏ ଚତୁଷ୍ପଦ ସେ କାଳେ ଦ୍ୱିପଦ ।

ଉତ୍କଳେ ତୋ-ଚାରୁ-ଚୂଡ଼ା ଗିରିରଣା

ଦାର୍ଜଲିଙ୍ଗ ବୋଲି ବାଜଇ ବାଜଣା ।

ତଥି ପରେ ଦିଶେ ଦୃଶ୍ୟ ଅପ୍ରମିତ

ଦର୍ଶନେ ମାନସ ନୟନ ମୁଦିତ ।

ଦିଶେ ବହୁଦୂରେ କଜ୍ଜ୍ୱଳ କାଳିଆ

ବାମଣ୍ଡା-ଗୌରବ-ଶଇଳ ଚୂଳିଆ ।

ପାଦତଳେ ଯାର ବ୍ରାହ୍ମୀ ତରଙ୍ଗିଣୀ

ଖଟଇ ଆନନ୍ଦେ ବିବିଧ ରଙ୍ଗିଣୀ ।

ନୈସର୍ଗିକ ଶିଳା-ବନ୍ଧ-ତୀରେ ଯାର

ଭୀଷଣ ଶାର୍ଦୂଳେ କରନ୍ତି ବିହାର ।

ଏହି ଯେ ଦିଶଇ ଗିରି ଅନ୍ଧାରୁଆ

ଅଭ୍ରଂକଷ ଯାର ଶିଖର ସରୁଆ ।

ସେ ଗନ୍ଧମାଦନ ପର୍ବତର ମଥା

ଦିଶେ ବହୁ ଦୂରେ କଳା ମେଘ ଯଥା ।

ତ୍ରେତା ଯୁଗେ ଯେବେ ରାଘବ ଆଦେଶେ

ଉପାଡ଼ି ବାନର ବୀରେ ସେତୁ ଆଶେ;

ଫିଙ୍ଗିଲେ ଶଇଳେ ନୀଳାର୍ଣ୍ଣବ-ନୀରେ

ବସି ଥିଲା ଦମ୍ଭେ ସେ କାଳେ ଯେ ଧୀରେ;

ବିରଞ୍ଚିର ଯେଣୁ ସେ ରତି-ଆସ୍ଥାନ

ବିରଞ୍ଚି ନନ୍ଦନ ବୀର ଜାମ୍ୱବାନ;

ନିଷେଧିବେ ତାର ଦେହ ଉତ୍ପାଟନେ

ଭାବି ଏହା ବସି ଥିଲା ଯେ ସୁମନେ ।

ଅଶ୍ୱନୀ କୁମାର-ଔଷଧ ବାଟିକା

ଭବେ ଯେଣୁଁ କରି ତେଣୁଁ ଅହମିକା;

ବସିଥିଲା ଭାବି ଅବା ଯେ ଗୁମାନେ

ନ ନେବେ ଉପାଡ଼ି ତାକୁ କପିମାନେ;

ଅଶ୍ୱିନୀ କୁମାର କୁମର ମଇନ୍ଦ

ମହାବଳ ଯେଣୁଁ ଆବର ଦ୍ୱିବିନ୍ଦ ।

କପି-ସେନା ମଧ୍ୟେ ଥିଲେ ସେ ସମୟେ

ଉପାଡ଼ିବେ ନାହିଁ ତାକୁ ପିତୃ-ଭୟେ ।

ଉମା ମହେଶ୍ୱର-ବିହାର ଆଳୟ

ଧରା-ଉଚ୍ଚତମ ନଗ ହିମାଳୟ,

ମେରୁ ଦିବିଷଦ-ପ୍ରିୟ ନିକେତନ,

ମଳୟ ବାସବ-ରମଣ ସଦନ ।

କାବେରୀବଳୟ ମଳୟ ଅଚଳ,

ଚିତ୍ରକୂଟ ରାମ-ବିହରଣ ସ୍ଥଳ ।

ସମୁଦ୍ର ମନ୍ଥନ-ସମର୍ଥ ମନ୍ଦର,

ଅରଣ୍ୟାନୀମୟ ବିନ୍ଧ୍ୟ ନଗବର;

ଗ୍ରାସି ବସୁ ଥିଲେ ଯେ ରବି ମଣ୍ଡଳ

ଅଗସ୍ତି ଗୌରବେ ଶାନ୍ତ କୋପାନଳ ।

କଇଳାସ ପୁଣି କୁବେର ନିବାସ

ଏମାନଙ୍କ ସଙ୍ଗେ ଶାସ୍ତ୍ରେ ଯା-ବିକାଶ ।

ନୀଳରୁଚି ନଭେ ମିଶି ଗଲା ପରି

ଏହି ସେ ଦିଶଇ ସୁନୀଳ ଶିଖରି ।

ତାପାଶେ ଦିଶଇ ଗୋନାସିକାଗିରି

ନଭଶ୍ଚୁମ୍ବି ଶୃଙ୍ଗ ଅନୁପମ ଶିରୀ ।

ପୁଣ୍ୟ-ନୀରା ଯାର ନଦୀ ବୈତରଣୀ,

କନ୍ଦରୁ ବାହାରି ପାବଇ ଧରଣୀ ।

ଗୁପ୍ତ ଗଙ୍ଗା ଯାର ଅଟେ ଜନ୍ମ ସ୍ଥଳ

ଉତ୍କଳେ ଯା-ନୀର ପୁଣ୍ୟ ଗାଙ୍ଗଜଳ ।

କ୍ଷୀରପାନେ ଯାର ପୁଷ୍ଟ ପାର୍ଶ୍ୱଦେଶ

ଉତ୍କଳେ ଯାହାର ମହିମା ଅଶେଷ ।

ଦଶ ମାତୃ-ଦେବୀ ଶୋଭନ୍ତି ଯା-କୂଳେ

ଇନ୍ଦ୍ରାଣୀ ରୁଦ୍ରାଣୀ ବାହ୍ମୀ ଆଦି ଠୁଳେ ।

ବିରଜା ଯାହାର ସଲିଳ ମୁକୁରେ

ଦେଖନ୍ତି ବଦନ ଶୋଭିତ ଚିକୁରେ ।

ଅଶ୍ୱ ମେଧ ଘାଟେ ଯହିଁ ଯାତ୍ରିମାନେ

ଉଦ୍ଧାରନ୍ତି ପିତୃ-ଗଣ ପିଣ୍ଡଦାନେ ।

ଏଣେ ଦିଶେ ପୁଣି ଶଇଳ ବାରୁଁଆ

ତାଳଚେରେ, ଶୃଙ୍ଗ ଯାର ମେଘଛୁଆଁ ।

ଘନ ଅଙ୍କେ ଶୋହେ ଚପଳା ଯାହାର

ନିକଷ ଉପଳେ ଯେହ୍ନେ ହେମ ଗାର ।

ଯହିଁ ବୀର ବର ନୃପ-କୁଳନିଧି

କିଶୋର ଭୂପାଳ କରନ୍ତି ପାରିଧି ।

ଢେଙ୍କାନାଳ ପଲା-ଶୁନି ଗିରି ମାଳା

ଶୋହେ ଯଥା ନୀଳ-ମଣି-ଭିତ୍ତି-ଶାଳା ।

ଦିଶଇ ବଣେଇ ପରବତ ରାଜି

ଶୋଭା-ଦେବୀ-କେଶ-ପାଶ ପ୍ରାୟେ ରାଜି;

ମୁକ୍ତାନିନ୍ଦି-ଜଳ ଯହିଁ ଖଣ୍ଡାଧାର

ପଡ଼ଇ ପ୍ରପାତ ଖଣ୍ଡାଧାରାକାର ।

ଦିଶେ ଭୂଁୟାପୀଡ଼ ପାବୁଡ଼ି ପର୍ବତ

ତୋ-ଶିଖରୁଁ ଇନ୍ଦ୍ର-ନୀଳ-ହିଡ଼ବତ ।

ଚମ୍ପକ ନିକୁଞ୍ଜ-ପୂର୍ଣ୍ଣ ଗିରିମାଳା

ରାଜେ ଯହିଁ ବୀର-ଭୂଁୟା-ପର୍ଣ୍ଣ-ଶାଳା ।

ଏସବୁ ସୁନ୍ଦର ଦୃଶ୍ୟ ତୁହି ଦେଖି

ରାଜୁ ଗିରି, ଭବ-ପ୍ରପଞ୍ଚ ଉପେଖି ।

ତହୁଁ ଶାନ୍ତିକୁଞ୍ଜେ ଗମିଲି ଭୀତିରେ

ପାଦ ଚିପି ଚିପି ଶିଖର ଭିତ୍ତିରେ ।

ଖସି ପଡ଼ିବାର ମୂହୁର୍ମୂହୁ ଶଙ୍କା

ଜନମି ହୃଦୟେ ଉପୁଜାଏ ଦକା ।

ତୋ ଚୂଡ଼ା ଆରୋହୀ ପରିଶ୍ରାନ୍ତ ପାନ୍ଥେ

ବସନ୍ତି ଆଉଜି ଯହିଁ ଶିଳା କାନ୍ଥେ ।

କାମିନୀ ସଙ୍ଗତେ ତହିଁ କାଉଚିଆ

ବିସ୍ତାରିଛି ପ୍ରେମ-ମଦ-ଭରେ ହିଆ ।

ଛାୟାତଳେ ହର-ଗଉରା ସୁନ୍ଦରୀ,

ଶୋଭଇ ପାଟଳ ପୁଷ୍ପ ତହିଁ ଧରି ।

ନିକଟେ ତାହାର କାନନ ତୁଳସୀ

ଶୋହେ ଉର୍ଦ୍ଧ୍ୱମୁଖୀ ଜଟିଳା ବିଳସି ।

ଠାବେ ଠାବେ ତହୁଁ ଦେଖି କେତେ ଖୋଲ,

ମହାନନ୍ଦେ ପୂରି ଚିତ୍ତ ହେଲା ଭୋଳ ।

ଭ୍ରମୁଁ ଭ୍ରମୁଁ ଶୃଙ୍ଗେ ଦିବା ଅବସାନ,

ଆଶ୍ରିଲେ ବ୍ରାହ୍ମଣୀ କ୍ରୋଡ଼ ଭାନୁମାନ ।

ସୁବର୍ଣ୍ଣ ତୋରଣ-ସଭା-ଅନ୍ତରାଳେ

ବାରୁଣୀ ସୁନ୍ଦରୀ ଖେଳିଲା ସେକାଳେ ।

ବ୍ରାହ୍ମୀ-ନୀରେ ପ୍ରତି-ଫଳି ହେମ-କର

ନଚାଇଲା ସ୍ୱର୍ଣ୍ଣ-ତରଙ୍ଗ ନିକର ।

ପଶ୍ଚିମ ଗଗନେ ଲୋହିତ ବରଣ,

ତପ୍ତ ସ୍ୱର୍ଣ୍ଣ ଥାଳୀ ପରାଏ ତପନ ।

ରବିରଶ୍ମି କ୍ରମେ ତେଜି ବସୁନ୍ଧରା

ଆଶ୍ରିଲା ଶିଖର ତରୁ ପରମ୍ପରା ।

ରବି-ହେମ-ରଶ୍ମି-ଶୋଭୀ ବୃକ୍ଷାବଳୀ

ଲୋହିତ ବଲୁଳ-ଧାରୀ ପ୍ରାୟେ ଝଳି ।

ନିସ୍ତବ୍ଧ ନିଶ୍ଚଳ ସେ ତରୁ ନିକରେ

ଧ୍ୟାନେ ମଗ୍ନ ଅବା ସେକାଳେ ଶିଖରେ ।

ରବି ଅସ୍ତ ଦେଖି ସନ୍ଧ୍ୟା ଉପଗତା

ପାଟଳ ବରଣା କି ବିଦ୍ରୁମ ଲତା ।

ସନ୍ଧ୍ୟା ନାଶେ ଦୁଃଖେ ଆସେ ବିଭାବରୀ

ଅନ୍ଧକାର-କୃଷ୍ଣ-ଅଜିନ ଆବରି ।

ସଜ୍ଜନ ହୃଦୟ ବରଜି ଅନ୍ଧାର

ଅନ୍ଧକାରମୟ ବିହିଲା ସଂସାର ।

ଏକାଳେ ଉଦିତ ନଭେ ସୁଧାକର

ଦଶଦିଶ ଦିଶେ କିରଣେ ସୁନ୍ଦର ।

ବିଧୁ କି ତ୍ରିଯାମା-ଶରୀରେ ଚନ୍ଦନ

କର-ସ୍ପର୍ଶେ କଲା ସ୍ନେହେ ବିଲେପନ !

ତୋ ଶ୍ୟାମଳ ଅଙ୍ଗେ ପଡ଼ୁଁ ଚନ୍ଦ୍ର-କର

ଆହା କି ସୁନ୍ଦର ମନୋମୁଗ୍ଧକର ।

ତପନ-ତନୟା-ତଟିନୀରେ ଆସି

ମିଶିଗଲା କିବା କ୍ଷୀର ଅମ୍ୱୁରାଶି ।

ଅବା ବିଧି ରବି-ତାପ-ନାଶ-ଆଶେ

ଘନସାରେ ମହୀ ଲିପିଲା ଉଲ୍ଲାସେ ?

ବହୁକାଳୁଁ ଅବା ବିଚାରି ବହୁଧା

ସୁଧାରେ ଧବଳି ଦେଲା କି ବସୁଧା !

ବଢ଼ାଇବାକୁ ବା ମହୀର ପ୍ରସିଦ୍ଧି

ଗାଙ୍ଗଜଳେ ତାକୁ ପ୍ରକ୍ଷାଳିଲା ବିଧି ।

ଚନ୍ଦ୍ର ବ୍ୟାଜେ ଅବା ପ୍ରକୃତି ସୁନ୍ଦରୀ

ହୀରକ ସ୍ୟନ୍ଦନେ ଭ୍ରମଇ ବିହରି ।

କି ସୁନ୍ଦର କଳା-ନିଧି ସ୍ୱଶୋଭନ

ଶୋଭାରାଣୀଙ୍କର ତାଟଙ୍କ ଯେସନ ।

ଚନ୍ଦ୍ର ଦେହେ ଦିଶେ ସେ କଳଙ୍କ ଧାର

ମୁକ୍ତା ଥାଳୀରେ କି ମାରକତ ଗାର ?

ବିହି କି ବିହିଛି ଗଗନ କାନନେ

ରୌପ୍ୟ ଆଳବାଳେ ତମାଳ ଯତନେ ?

ତାରା-ବିମଣ୍ଡିତ ଦିଶଇ ଆକାଶ

ପ୍ରଫୁଲ୍ଲିତ ମଲ୍ଲୀ-ବାଟୀ ପ୍ରତିକାଶ ।

ଉଡ଼ୁପନ୍ତି ଛଳେ ବିଞ୍ଚି ଜୟ ଯଶ

ଖେଳଇ କି ଶୋଭା ରାଣୀ ହସ ହସ ?

ତୋ-ଶୁଷ୍କ ଶୈବାଳ ଧବଳ ଶେଖର

ଚନ୍ଦ୍ର ହାସେ ଦିଶେ କି ମନୋଜ୍ଞତର !

ପଡ଼େ ମନେ କିହେ ଗଣେଶ୍ୱର ପାଳ

କୁମାର ପୂର୍ଣ୍ଣିମା ଚନ୍ଦ୍ର ନିଶା କାଳ ?

ତୁମ୍ଭେ ଅନୁଭବୀ ଜାଣ ସେ ସମ୍ପତ୍ତି

ବାରମ୍ୱାର ତେଣୁ ସାକ୍ଷୀ କରେ ମତି ।

ଦିଶେ କି ସୁନ୍ଦର ମାଲ୍ୟ ଗିରି ଚୂଡ଼ା

ସେ କାଳେ ଉପମା-ଗଉରବ ବୁଡ଼ା ।

ମନେ କି ବିଭବ ଭ୍ରମନ୍ତେ ସେଠାରେ,

ଅନୁଭବ ବିନା କେବା ବର୍ଣ୍ଣିପାରେ ।

ସେ ଚାନ୍ଦେନୀରାତି-ଦୃଶ୍ୟ ମନୋହର

ଦେଖି ପ୍ରବେଶିଲି ତହୁଁ ବାସଘର ।

ପଞ୍ଚ ଅଗ୍ନି ସ୍ଥାପି ଶୋଇଲି ଖଟରେ,

ତଥାପି ଶୀତର ଆଧିକ୍ୟ ନସରେ ।

ହରାଇଲି ନିଦ୍ରା-ବଳେ ବାହ୍ୟ ଜ୍ଞାନ,

ଦେଖୁଥିଲି ସ୍ୱପ୍ନେ ସେହି ଦୃଶ୍ୟମାନ ।

ପ୍ରଭାତିଲା ସୁଖେ ଶୁଭ ବିଭାବରୀ,

ତେଜିଲି ଶୟନ ପୁଣ୍ୟ ଶ୍ଳୋକ ସ୍ମରି ।

ତ୍ରିଯାମା-ବିରାମ-ପିଶୁନ ସମୀର

ଜ୍ୟୋସ୍ନା-ଜଳ-ସ୍ନାନେ ଶୀତଳ-ଶରୀର;

ନିଶା-ବିକସିତ-କୁସୁମ-ସୁବାସୀ,

ସେବିଲା ଶିଖର-ଦେଶ ଧୀରେ ଆସି ।

ପ୍ରତୀଚୀ-ଅଙ୍ଗନା-ବଦନ-ଚୁମ୍ୱକ,

ରଜନୀ-ବିରହେ ରଜନୀ-ନାୟକ;

ଭଜିଲେ ପାଣ୍ଡୁତା ବରଜି ହରଷ,

ଆଦିତ୍ୟ-ଉଦୟେ ବିଷନ୍ନ-ମାନସ ।

ପ୍ରାଚୀ-ବଧୂ-ଭାଲ-ସିନ୍ଦୁର-ତିଳକ,

ଦଗ୍ଧ-ହେମ-ପିଣ୍ଡ-ନିଭ ଜକ ଜକ;

ବ୍ୟୋମ-ସରୋବର-ତାମରସ-ଛବି,

ଉଦୟ-ଶିଖର ଆରୋହିଲେ ରବି ।

ନବ-ରବି-କର-ରଞ୍ଜିତ-ଶରୀର

ଦିଶନ୍ତି ପାଦପେ କେଡ଼େ ସୁରୁଚିର ।

ଅଧୋଦେଶେ ଦୂରେ ଉଡ଼ନ୍ତି ପକ୍ଷିଏ,

ଶବ୍ଦ କିନ୍ତୁ ଶୁଣା ନଯାଏ ଟିକିଏ ।

କ୍ରମେ କ୍ରମେ ରବି ଉଠିଲେ ଆକାଶେ,

ଚଳିଲି ତହୁଁ ମୁଁ ଶୋଭା-ଦୃଷ୍ଟି-ଆଶେ ।

ବିଲୋକିଲି ଶୈଳେ ଭ୍ରମୁଁ ଧର୍ମ୍ମଦ୍ୱାର,

ସମ୍ମୁଖେ ତାହାର ସୁଦୃଶ୍ୟ ଅପାର ।

ସ୍ତର ସ୍ତର ହୋଇ ପରବତ-ରାଜି

ଦିଶଇ ଅଗ୍ରତେ ଶ୍ୟାମ ଅଙ୍ଗେ ରାଜି ।

ଶୋଭଇ ପ୍ରଚୁରେ ସିଧା ଶାଳଗଜା

ଶୀତ ବାତ ସ୍ପର୍ଶେ କମ୍ପୁଅଛି ମଜ୍ଜା ।

ଦୂରେଦିଶୁଅଛି ବ୍ରାହ୍ମଣୀ ତଟିନୀ,

ଗଙ୍ଗା-ସ୍ୱଚ୍ଛ-ନୀରା ଭୁଜଙ୍ଗ-ଗାମିନୀ ।

ସୁଶ୍ୟାମଳ ମହୀ-ଅନ୍ତରାଳେ ଦିଶେ

ଢଳା ରୌପ୍ୟଧାର ମାରକତେ କି ସେ ?

ଅହୋ ! କି ଭୀଷଣ ପାତାଳ-ବିମ୍ୱର,

ବିରାଜନ୍ତି ଯହିଁ ମହା ପାଟେଶ୍ୱର !

ଶାରଦୀୟ-ପୂଜା-ଅନୁମତି-ଆଶେ

ଅଗ୍ରେ ଯହିଁ ହୁଏ ଅର୍ଚ୍ଚନା ଉଲ୍ଲାସେ ।

ପଶିଲି ଶୈବାଳ-ପିଚ୍ଛିଳ ତା-ମାର୍ଗେ

ହସ୍ତ ପଦ ଚିପି, ମୁଖ ଅଧୋଭାଗେ ।

ଲଙ୍ଘନ୍ତେ ସେ-ପଥ କଷ୍ଟେ, ବଡ଼ଭୀତି,

ପଡ଼ିଗଲାମନେ କୂପ-ପଶା ରୀତି ।

ଭାଗ୍ୟଦୋଷୁଁ ଯେବେ ଖସି ଯିବ ଟିପ,

ଲିଭିବ ସେକ୍ଷଣି ଜୀବନ-ପ୍ରଦୀପ ।

ଦେଖିଲି ସେଠାରେ ଲିଙ୍ଗମୂର୍ତ୍ତି ଶିବ,

ପଳାଇଲା ହୃଦୁଁ ସକଳ ଅଶିବ ।

ଗଣେଶ୍ୱର ନୃପ-କୀରତି-ପସରା

ରାଜେ ଦୀପାବଳୀ ନଇବେଦ୍ୟ ସରା ।

ଶୀତେ ମାରି ଯାଏ କାଲ ହାତ ଗୋଡ଼,

ପ୍ରଣମିଲି ବିହି ଭକ୍ତି-କର-ଯୋଡ଼ ।

‘‘ନମୋ ନଗ-ସୁତା-ପ୍ରାଣ-ବଲ୍ଲଭାୟ,

ନମୋ ଭକ୍ତ-ଜନ-କଳ୍ପ-ପାଦପାୟ;

କୁରୁକୃପାମଦ୍ରି-ସୂତା-ପ୍ରାଣେଶ୍ୱର,

ଅହ ମତି ଦୁଃଖୀ, ହର ସମୁଦ୍ଧର ।’’

ଫେରିଆସି ତହୁଁ ଉଭାହେଲି ଦ୍ୱାରେ,

ବିଲୋକିଲି ଦୃଶ୍ୟ ଅପାର ସେଠାରେ ।

ଊର୍ଦ୍ଧ୍ୱେ ନୈସର୍ଗିକ ମହାଶିଳା-ଛାତ

ନାହିଁ ଖରା, ବର୍ଷା; ବହେ ଶୀତ ବାତ ।

ବସିଥିଲେ ସେହି ଶୀତଳ ପବନେ

ସଂସାର ଜଞ୍ଜାଳ ନ ପଡ଼ଇ ମନେ ।

କି ସୁନ୍ଦର ଦିଶେ ବାବାଜି-କନ୍ଦରା,

ଅସାର-ସଂସାର-ଭୟ-ଦୁଃଖ-ହରା ।

ଦୃଶ୍ୟ କି ବିରାଟ ତାର ସମ୍ମୁଖରେ,

ଭାବନ୍ତେ, ଉଲ୍ଲସି ହୃଦ ଉଠେ ଖରେ ।

ଦିଶୁଅଛି ତଳ ପାତାଳ ପ୍ରକାର,

ବିଲୋକନେ ଅବା ଶକତି କାହାର ?

ଚତୁର୍ଦ୍ଦିଗ ବ୍ୟାପି ଦିଶେ ଧୂମରାଶି,

ଖଟେ ଶୀତ ବାତ ମୃଦୁ ମୃଦୁ ଆସି ।

ଉର୍ଦ୍ଧ୍ୱେ କନ୍ଦରାର ବିଶାଳ ପାଷାଣ,

ହେବ ନିଶ୍ଚେ ପୁରୀ-ମନ୍ଦିର-ପ୍ରମାଣ ।

‘‘ପଶିବି କିରୂପେ ସେ ଗୁହା ଭିତର’’

ଭାବିଲି ସଭୟେ, ଦେହ ଥର ଥର ।

ଅବଶେଷେ କରି ସାହସ ଦୁଷ୍କର

ନର ହୋଇ ତହିଁ ହୋଇଲି ବାନର ।

ଅଧୋମୁଖେ ହସ୍ତ-ପଦେ ଦେଇ ଭରା,

ଆରୋହିଲି କଷ୍ଟେ ସେ ଭୀମ କନ୍ଦରା ।

ଗଣେଶ୍ୱର ନୃପ-ବିଚାର ନିଳୟ

ଦିଶେ ତହୁଁ ଦୂରେ ଶୁଭ୍ର ସୁଧାମୟ ।

ବସନ୍ତେ ବସନ୍ତ-ବିକାଶି ରସାଳ-

ବକୁଳ-ଆମୋଦେ ଗଣେଶ୍ୱର ପାଳ,

କରନ୍ତି ବିଚାର ଯହିଁ ନ୍ୟାଯ୍ୟପଣେ,

ପକ୍ଷପାତ ଜଣା ନାହିଁ ପ୍ରଜାଗଣେ ।

ଶିଖରୁଁ ବାବାଜି-ଗୁମ୍ଫା-ଦ୍ୱାରା ଯାଏ

ଆରଣ୍ୟ ହରିଦ୍ରା ପଥେ ଶୋଭା ପାଏ ।

ସେ-ପଥେ ଆସିଲି ଫେରି ମୁଁ ନିବାସେ,

ବିଶ୍ରମିଲି ଦଣ୍ଡେ ଶ୍ରମ-ନାଶ-ଆଶେ ।

ଉଭା ହୋଇ ତହୁଁ ଦେଖିଲି ସୁଷମା,

ତ୍ରୁଳିବାକୁ ନାହିଁ ସଂସାରେ ଉପମା ।

ଅଭ୍ରୁଁ ଖସି କାହିଁ ଶୋହେ ଅଭ୍ରରାଜି,

ଦିଶେ ଦାଉ ଦାଉ ରବିକର ବାଜି ।

ପ୍ରସନ୍ନ ହୃଦୟ ଦେଖି ସେ ବିଭବ,

ଉପୁଜଇ କେତେ ଭାବ ନବ ନବ ।

ବନଦେବୀଙ୍କର ବିଳାସ ଭିଆଣି

ଗିରି କି ହୋଇଛି ରଜତ ଛିଆଣି ?

ଅବା ଶୁଭ୍ର ଛତ୍ର ଟେକା ଗିରିଶିରେ ?

ଯେଣୁ ସେ ଗିରୀନ୍ଦ୍ର ଉତ୍କଳ-ମହୀରେ ।

ତୋ-ଦର୍ଶନେ ମାଲ୍ୟ-ଗିରି ଗିରିବର

ବିସ୍ଫାରଇ ହୃଦ କ୍ଷୁଦ୍ର ମାନବର ।

ତୋ-ଦେହେ ବିରାଜେ ପୁତ ଯଜ୍ଞ ସ୍ଥଳୀ

ନୃପ-ମୁନିପାଳ-କୀର୍ତ୍ତି-ସ୍ତୂପେ ଝଳି ।

ଯେ ନରେନ୍ଦ୍ର ଅନୁ-ସନ୍ଧାନ-ଚତୁର

ଲଭିଥିଲେ ପଦ ରାଜ ବାହାଦୂର ।

ଶୀତଳ ପବନ କରିଣ ସଞ୍ଚାର

କରେ ତୋର ଅଙ୍ଗ ସୁବାସ ପ୍ରଚାର ।

ସେ-ଶୀତ-ପବନେ କରନ୍ତେ ବିହାର,

ଟାଙ୍କୁରିତ ରୋମ ଦେହ ବାରମ୍ୱାର ।

ପୁଣ୍ୟତେଜା ତୋର ମହିମା ଅମାପ

ତୋ-ଶିଖରେ ନାହିଁ ହିଁସ୍ରକ ପ୍ରତାପ ।

ବ୍ୟାଘ୍ର ଭଲ୍ଲୁକର ବିକଟ ଚାହାଣୀ

ଦେଖି ନାହାନ୍ତି ତୋ-ଉତ୍ତମାଙ୍ଗ-ପ୍ରାଣୀ

ଭୀଷଣ-ଭୁଜଙ୍ଗ-ବିଷ ଜ୍ଞାନହଜା

ଜାଣି ନାହାନ୍ତି ତୋ-ଶିଖର-ପରଜା ।

ଭାବୁ ଯଦି ତୁହି ହୃଦୟ-ଆଗାରେ

‘‘କେଅଛି ଗିରୀନ୍ଦ୍ର ପ୍ରଶାନ୍ତ ସଂସାରେ’’ ?

‘‘ତୁଇ’’ ‘‘ତୁଇ’’ ବୋଲି ଟିପି ଗଗନରେ

ବିନାଶି ସଂଶୟ ଉଡ଼ିଯାଏ ଖରେ ।

ସଞ୍ଚରନ୍ତି କେବେ କେବେ ତୋ-ଶିଖରେ

ସୂକ୍ଷ୍ମପୁଚ୍ଛ ମହା-ବଳିଷ୍ଠ ସମ୍ୱରେ ।

ତୁରଙ୍ଗ ଆକୃତି ବୁଲନ୍ତି ଅବନ୍ଧା,

ରମନ୍ତି ଆନନ୍ଦେ, ନାହିଁ ଭୟ ଧନ୍ଦା ।

ତୋ-ଶିଖରେ କେବେ କେବେ ଗୁଣ୍ଡିଚିର

ଦେଖା ମିଳେ, ସ୍ୱର ଶୁଭେ ସୁରୁଚିର ।

ଆହା କି ସୁନ୍ଦର ଶୋହେ ପୃଷ୍ଠେ ଯାର

ରାଘବ-ବାତ୍ସଲ୍ୟ-କରାଙ୍ଗୁଳି-ଗାର ।

ବସନ୍ତ-ବିକାଶି ଅଶୋକ, ଶାଳ୍ମଳୀ

ଧାତକୀ, ପଲାଶ, ପାଳଧୁଆକଳୀ;

ନାହାନ୍ତି ଏମାନେ ଶିଖରେ ତୋ-ବଳେ,

ରହିଛନ୍ତି ଖଟି ତୋ-ପାଦ-କମଳେ ।

ବସନ୍ତ-ବିଳାସୀ ପିକ ଗାୟକର

ଅଶୁଣା ଅଜଣା ଏଥି ମଧୁସ୍ୱର ।

ଯେ-ସ୍ୱର-ଶ୍ରବଣେ ପଥିକ ମାନସ

ବରଜି ହରଷ ଦୁଃଖରେ ବିରସ ।

ସ୍ମରଇ ପ୍ରେୟସୀ କୋକିଳ ବଚନା,

ଭୁଞ୍ଜଇ ହୃଦୟେ ଅସହ୍ୟ ଯାତନା ।

ହେ ଗିରୀନ୍ଦ୍ର ତୋର ଉତ୍ତୁଙ୍ଗ ଶିଖର

ଶାନ୍ତି ଦେବୀଙ୍କର ନିଳୟ ସୁନ୍ଦର ।

ଯୋଗଭଙ୍ଗଭୟେ ତୋର ଏଥିପରା

ନ ରାବଇ କାକ ପ୍ରଭାତ ଡଗରା ।

ଶ୍ୟାମା ଶାରୀଙ୍କର ବିମୋହନ ସ୍ୱର

ଭେଦି ନାହିଁ ଏଥି ତୋ-ଶ୍ରୁତି-କୁହର ।

ଗିରିଙ୍କର ମଧ୍ୟ ତୁହି ଅନୁପମ,

ରୂପେ ଗୁଣେ ତୁହି ଉତ୍କଳେ ଅସମ ।

ଉପରେ ଜଳଦ, ନିମ୍ନେ ତୋର ଖରା,

ମଧ୍ୟରେ ବରଷା ଅସରା ଅସରା ।

ଏଦୃଶ୍ୟ ଦର୍ଶନେ ମନ ବିହ୍ୱଳିତ,

ଉପୁଜେ ଆନନ୍ଦ ଅପାର ଅମିତ ।

ବନ୍ଧପୁରି କାହିଁ ହୋଇଅଛି ଠିଆ

ବରଷା ସଲିଳ ବିସ୍ତାରିଣ ହିଆ ।

ପ୍ରତିପଳୁଁ ତହିଁ ତପନ-କିରଣ

ଦିଶେ ଯଥା ଗିରି-ବନାଳି-ଦର୍ପଣ ।

କାହିଁ ବା ଶିଖରେ ଶୁଭ୍ର ବାରିଧର

ସଞ୍ଚରଇ ସୁଖେ ଦିଶଇ ସୁନ୍ଦର ।

ପୁଞ୍ଜି ପୁଞ୍ଜି ହୋଇ ପିଞ୍ଜା ତୁଳାଧାଡ଼ି

ଥୁଆ କି ହୋଇଛି ଚକ୍ରବାଳ ମାଡ଼ି ?

ନିମ୍ନଦେଶେ ତୋର ସଜ୍ଜା ମେଘମାଳ

ଦିଶେ କିସୁନ୍ଦର ବିଶଦ, ବିଶାଳ ।

କ୍ଷୀର ଅମ୍ୱୁଧିର ସ୍ୱଚ୍ଛ ଉର୍ମ୍ମି-ରାଶି

ଠୁଳ କି ନିସ୍ପନ୍ଦେ ଚକ୍ରବାଳ ଗ୍ରାସି ?

ଅତୁଳ ଗିରୀନ୍ଦ୍ର ତୋ-ବିଭବ-ବଳ,

ସକଳ ଋତୁର ତୁ ଆଶ୍ରୟ ସ୍ଥଳ ।

ପାଦ ଦେଶେ ତୋର ନିଦାଘ ସମୟ

ଉଚ୍ଚ ଶୃଙ୍ଗେ ମୁହିଁ ଶୀତରେ ଅଥୟ ।

କେବେ କଜ୍ୱଳାଭ ଜଳଦ ଶାର୍ଦ୍ଦୂଳ

ଗର୍ଜ୍ଜେ ଆଶ୍ରି ତୋର ନିମ୍ନ ଶୃଙ୍ଗ ଚୂଳ ।

ପ୍ରକାଶନ୍ତେ ବକ-ବିକଟ-ଦନ୍ତାଳି

ଲୁଚନ୍ତି ଆକାଶେ ତ୍ରାସେ ଅଁଶୁମାଳୀ ।

ଚପଳା-ଚମକେ ବହେ ଝଞ୍ଜାନିଳ,

ବର୍ଷଇ କରକା-ବହୁଳ ସଲିଳ ।

ବାସବ-କୋଦଣ୍ଡ-ଆଭା ନଭେ ରାଜେ,

ଦର୍ଶନେ ଉପମା-ଦମ୍ଭ-ବଳ ଭାଜେ ।

ଦେଖାଉ କି ବଳ ତୋର ଗିରିରାଣ ?

ଘନାବଳୀ ନଳୀ, କୁଳିଶ କମାଣ,

ବିଜୁଳୀ ଜାମୁକୀ, ସ୍ତନିତ ‘ଢ଼ୁ’ ଶବ୍ଦ,

ଶୁଣି ଚତୁର୍ଦ୍ଦିଗ ତରାସେ ସ୍ତବଧ ।

ନୀରବ, ନିସ୍ତବ୍ଧ ଗିରିସ୍ଥଳୀ ଯଥା

ଶୁଣେ ଅବଧାନେ ବିଭୁଆଜ୍ଞାକଥା ।

ଏସମୟେ ଏକ ବିଚିତ୍ର ଘଟନା

ଜନ୍ମାଇଲା ଚିତ୍ତେ ଅତୀତ-ଭାବନା ।

ଉତ୍ତୁଙ୍ଗ ଉପଳ-ସ୍ତୂପେ ବସି କ୍ଷଣେ

ଉଡ଼ନ୍ତେ ଶକୁନି ପରାଚୀ ଗଗନେ;

ଉଛୁଳିଲା ମୋର ହୃଦୟ-ସାଗରେ

ଅତୀତ-ସ୍ମରଣ-ଉର୍ମ୍ମି ଖରତରେ ।

ତ୍ରେତାଯୁଗେ କପି-ବୀରଙ୍କ ଅଗ୍ରତେ

କାବେରୀ-ବଳୟ ମଳୟ-ପର୍ବତେ,

ଅବତରିଲା କି ଶିଖରୁଁ ସମ୍ପାତି

ଝାଡ଼ି ପକ୍ଷଯୁଗ ପ୍ରସାରିଣ ଛାତି ।

ଧନ୍ୟ ଧନ୍ୟ ଆହେ ନୃପ ଗଣେଶ୍ୱର

ତବ ରାଜ୍ୟ ଶୋଭା-ବାଣୀ ଅଗୋଚର ।

ନୀଳ ଅମ୍ୱୁରାଶି-ନିନାଦ-ବଧିର

ନାହିଁ ଏଥି ଜଗ-ନ୍ନାଥଙ୍କ ମନ୍ଦିର ।

ଚନ୍ଦ୍ରଭାଗାତୀର-ସୈକତ-ବିଳାସୀ

ପ୍ରାଚୀନ-ଉତ୍କଳ-ଶିଳ୍ପିତା-ପ୍ରକାଶୀ,

ତବ ରାଜ୍ୟେ ନାହିଁ କୋଣାର୍କ ଦେଉଳ

ଛାୟା ପତିଙ୍କର ନିବାସ ମଞ୍ଜୁଳ ।

ଏକାମ୍ର-କାନନ-ମଧ୍ୟେ ସମୁଜ୍ୱଳ

ଲଲାଟ କେଶରୀ-କୀରତି-ଧବଳ,

ଚାରୁ-କାରୁ-କାର୍ଯ୍ୟ-ଗୌରବେ ଅତୁଳ

ନାହିଁ ତ ଭୁବନ-ଈଶ୍ୱର ଦେଉଳ ।

ମାତ୍ର ତବ ରାଜ୍ୟେ ଏ-ମହା ଦେଉଳ

ଶିଶୁ-ହିମାଳୟ-ସମ ସୁମଞ୍ଜୁଳ ।

ନାହିଁ ନୃପ ଯାର ଉତ୍କଳେ ତୁଳନା

ଯା-ଛବି-ବର୍ଣ୍ଣନେ ଅଶକ୍ତ ରସନା ।

ଏ ମହା-ମନ୍ଦିର-ଚାମର-ବାହକ

ଶୀତଳ ସମୀର ସୁଗନ୍ଧ ଦାୟକ ।

ସୁପରିଚାରିକା କାଦମ୍ୱିନୀ ଯାର

ପାଦତଳେ ଖଟି କରଇ ବିହାର ।

କାଁସ ଘଣ୍ଟାଦିର କୃତ୍ରିମ ବାଜଣା

ହୋଇଛି ଯଦ୍ୟପି ଏଠାରେ ଅଜଣା;

କିନ୍ତୁ ବିଶ୍ୱବ୍ୟାପି ଓଁକାର-ଧୂନିତ

ଏ-ମନ୍ଦିରୁଁ ସ୍ୱତଃ ହୁଏ ଉଚ୍ଚାରିତ ।

ଧନ୍ୟ ମାଲ୍ୟ ଗିରି ଧନ୍ୟ ଶୋଭାକର,

ଧନ୍ୟ ତୋ-ମହିମା, ବର୍ଣ୍ଣନେ ଦୁଷ୍କର ।

‘‘ଶାସ୍ତ୍ରେ ନ ଥିଲେହେଁ ତୋ-ନାମ କରଣ

ତୁହି ମାଲ୍ୟଗିରି ତୀର୍ଥ ସନାତନ ।’’

କେତେ କେତେ ତୀର୍ଥ ନର-ସଂସ୍ଥାପିତ

ଉଇଁ ଏ ସଂସାର-ସ୍ରୋତେ ଅସ୍ତମିତ ।

ଅସ୍ତୋନ୍ମୁଖ ପୁଣି କେତେ ତୀର୍ଥସ୍ଥାନ,

କିନ୍ତୁ ଚିରଦିନ ତୋ-କୀର୍ତ୍ତି ସମାନ ।

ମର-ନର-କୀର୍ତ୍ତି ହେବ ସିନା ମର,

ଅମର-ସୃଜିଲା-କୀରତି ଅମର ।

କାହିଁ ଆଜି ଦୁର୍ଗ ଦୁର୍ଗ ବାରବାଟୀ ?

କାହିଁ ବା କୋଣାର୍କ-ଶିଳ୍ପ-ପରିପାଟୀ ?

କାହିଁ ଇନ୍ଦ୍ରପ୍ରସ୍ଥ-ନଗରୀ ଅଶଙ୍କା ?

କାହିଁ ବୈଶ୍ରବଣ-ସ୍ୱର୍ଣ୍ଣମୟୀ-ଲଙ୍କା ?

ସରବେ କାଳର କବଳେ ପତିତ

କିନ୍ତୁ ତୋର ଅଙ୍ଗ ଚିର-ସୁଶୋଭିତ ।

ତରୁ-ଲତା-ନୀଳ ତୋ-ବକ୍ଷ ସୁନ୍ଦର,

ଘନ-ଆସ୍ତରଣେ ଦିଶେ ନୀଳତର ।

ଭୀଷଣ ବିରାଟ ତୋ-ଖଣ୍ଡ-ପ୍ରସ୍ତର,

ବଜ୍ରାଘାତେ ତହିଁ ବିଶୃଙ୍ଖଳତର ।

କୁରଙ୍ଗ ସଦୃଶ ତହିଁ କ୍ଷିପ୍ରଗତି,

ସଞ୍ଚରନ୍ତି ସୁଖେ ତୋ-ଅଙ୍ଗ-ଭୂପତି ।

ଧୈର୍ଯ୍ୟଶୀଳ, କଷ୍ଟ-ସହିଷ୍ଣୁ, ଯେସନ

ନୃପତି ଦ୍ୱାପରେ ରବିଙ୍କ ନନ୍ଦନ ।

ପାଦଦେଶୁଁ ତୋର ବକ୍ଷସ୍ଥଳ ଯାଏ

ନାନା ବିଧ ବନ-ସ୍ପତି ଶୋଭା ପାଏ ।

ଖଣ୍ଡ ଖଣ୍ଡ ତୋର ରୁକ୍ଷ ଶିଳା ରାଶି

ବିକ୍ଷିପ୍ତ, ବିଶୁଷ୍କ-ଶୈବାଳ-ବିଭାସୀ ।

ଉଭା ଦୃଷ୍ଟି-ଲେଖା-ସୀମା-ସ୍ତମ୍ଭ ଯଥା

ଚାହାନ୍ତେ ନିରେଖି ଘୋଳି ହୁଏ ମଥା ।

କାହିଁ ଖଣ୍ଡେ ଖଣ୍ଡେ ପଡ଼ିଛି ପଥର,

ଅନ୍ୟ ପର୍ବତର ଯେହ୍ନେ କଳେବର ।

କାହିଁ ଚତୁ ଷ୍କୋଣ ଶିଳା ସୁଚିକ୍କଣ

କରଇ ବିବାହ-ବେଦୀର ସ୍ମରଣ ।

ତୋର କଳେବର-ଦିବ୍ୟ-କାରିଗର

ଶଚୀ-ପ୍ରାଣ-ନାହା ତ୍ରିଦିବ-ଈଶ୍ୱର ।

ବଜ୍ରାଘାତେ ବଜ୍ର-ଧାରୀ ଦରୀ ଗୁହା

ସୁଚ୍ଚନ୍ତି ପ୍ରତ୍ୟଦ୍ଦ ଏଥି ନୂଆ ନୂଆ ।

କାହିଁ ବା ବିଶାଳ ଫାଟଳ ପ୍ରସ୍ତର

ପତନ-ଉନ୍ମୁଖ ମହା ଭୟଙ୍କର ।

ପ୍ରପାତ ସଲିଳ-ପୁଷ୍ଟ-ଅଙ୍ଗ-ଆଳି ।

କି ସୁନ୍ଦର ପାନ୍ଥ-ବାନ୍ଧବୀ ଶିଆଳୀ ।

ଯାର ସୁମଞ୍ଜୁଳ କୁଞ୍ଜ-ଛାୟା-ତଳେ

ବିଶ୍ରମନ୍ତି ସୁଖେ ପଥିକେ ଉପଳେ ।

ପ୍ରପାତ-ସୁମିଷ୍ଟ-ଜଳେ ନାଶି ଶୋଷ

ତୃଷାତୁରେ ଯହିଁ ଲଭନ୍ତି ସନ୍ତୋଷ ।

କୁଞ୍ଜମଧ୍ୟେ ଯାର ବିହଙ୍ଗ-ଦମ୍ପତି

ବିରଚି କୁଲାୟ ଭୁଞ୍ଜନ୍ତି ପୀରତି ।

କୁଡ଼ୁ କୁଡ଼ୁ ଶବ୍ଦେ ଡାଳୁଁ ଡାଳେ ଖସି

ଭାଷଇ ଦୟିତ ଦୟିତାକୁ ହସି ।

ସନ୍ଧା ସନ୍ଧି ଯହିଁ ରାଜେ ଚାରୁ ପତ୍ର,

ଦିଶେ କୁଞ୍ଜ ଯଥା ନୀଳ ଆତପତ୍ର ।

ତଦୁପରେ ବର୍ଷା-ବାରି-ଟପ ଟପ,

ଶ୍ରବଣେ ଆନନ୍ଦ ଚିତ୍ତେ ଅନଳପ ।

ଏରମ୍ୟ-ସୁଷମା-ଦେଖନ୍ତେ ନୟନ,

ସ୍ଥାନାନ୍ତରେ ଇଚ୍ଛା ନ କରଇ ମନ ।

ସୌର-କରୋଜ୍ୱଳ-ତୁଙ୍ଗ ଭୃଗୁଦଣ୍ଡା,

ବିଲୋକନେ ଭାଙ୍ଗି ପଡ଼େ ବେକଷଣ୍ଢା,

ଭୁଜଙ୍ଗ-କୁଟିଳ-ଗତି ଗିରି ମାର୍ଗେ

ଆସିଲି ଓହ୍ଲାଇ ତହୁଁ କିଛି ଆଗେ;

ଦେଖିଲି ସେଠାରେ ସୁଶ୍ୟାମଳ ନାସି

ବିସ୍ମୟ-ବାରିଧି-ନୀରୋଚ୍ଛ୍ୱାସେ ଭାସି ।

ଭୀଷଣ ପାଷାଣ ଲତା ବିଜଡ଼ିତ

ନିମ୍ନମୁଖେ ଠାବେ ଠାବେ ସୁଶୋଭିତ ।

ସୃଷ୍ଟିକାଳୁଁ ଖସି ପଡ଼ିବାର ଶଙ୍କା

ଜନ୍ମାଇ ତୀର୍ଯ୍ୟକେ ସ୍ଥିତ ନିରାତଙ୍କା ।

ସେ ଦୃଶ୍ୟ ଦର୍ଶନେ ସାଧ୍ୱସ-ସଞ୍ଚାର,

ଖଣ୍ଡ ଦୂରେ ଯାଇଁ ହେଲି ଉଭାସାର ।

କୁହେଳିକା ତହିଁ ଆସୁଅଛି ମାଡ଼ି

ନିଜଦଳ ବଳ ସଗର୍ବେ ସଜାଡ଼ି ।

ଚାହୁଁ ଚାହୁଁ ଘୋଟି ଆସିଲା ଅନ୍ଧାର,

ନିରୋଧିଲା ବେଗେ ମୋ ଦୃଷ୍ଟି ପ୍ରସାର ।

ଲାଗନ୍ତେ ଶୀକର-ଶୀତଳ ପବନ,

ଥରିଲା ବରଡ଼ା-ପତର ଯେସନ ।

ମାଡ଼ି ଆସୁଛି କି ନୀଳ ଅମ୍ୱୁରାଶି

ସ୍ତର ସ୍ତର ହୋଇ ଆକାଶରେ ଭାସି ?

ସେକାଳେ ହୃଦୟ ଡହଳ ବିକଳ,

ସ୍ମରିଲି ଈଶ୍ୱର-ଚରଣ-କମଳ ।

ପ୍ରକୃତି-ସୁଷମା ଲୁଚିଲା ତରାସେ

ଅନ୍ଧାର ରାଜତ୍ୱ କଲା ଚଉପାଶେ ।

କିଛିକ୍ଷଣ ପରେ ବ୍ୟାପିଲା ଆଲୋକ,

ପଳାଇ ଅନ୍ଧାର ଗଲା କେଉଁ ଲୋକ !

ନରହଇ ଭବେ କାହା ବଡ଼ପଣ,

ଗରବ ଗଞ୍ଜନ-ବାନା ନାରାୟଣ ।

ଜୟ ପରାଜୟ ଲାଗିଛି ସନ୍ତତ

ଘୁରୁଅଛି ଭାଗ୍ୟ ଚକ୍ରନେମିବତ ।

ଏକାଳେ ଚାତକ-ଶାବକ-ନିସ୍ୱନ

ଆକର୍ଷିଲା ମୋର ସେ ଦିଗେ ନୟନ ।

ଶୀତେ କମ୍ପୁଅଛି ତାର କଳେବର,

ପଡ଼ଇ ଗୁରୁଣ୍ଡି ରୁକ୍ଷ ଶିଳାପର ।

ତେରେଚ୍ଛା ଶିଳାରେ ବହୁକଷ୍ଟେ ବସେ,

ବସୁଁ ବସୁଁ ପୁଣି ଅଧୋଦେଶେ ଖସେ ।

କଷ୍ଟେ ଅବଶେଷେ ଦେଇ ଖଣ୍ଡି-ଉଡ଼ା

ଆରୋହିଲା ଏକ-ଖର୍ବ-ତରୁ-ଚୂଡ଼ା ।

କ୍ଷଣେ ବସି ତହିଁ ପକ୍ଷ ଝାଡ଼ି ଝୁଡ଼ି

ବାପ, ମାଆ, ଦେଖି ପାଶେ ଗଲା ଉଡ଼ି ।

ସଜଳ-ଜଳଦ-ଅନ୍ଧକାର ମୟ

ତୋର କି ଭୀଷଣ ଗିରିନ୍ଦ୍ର ହୃଦୟ ?

ବିଧିରେ କାଳିକା ମହିଷ-ସନ୍ତାପ

ନାଶି ବିତରଇ ପ୍ରମୋଦ ଅମାପ ।

ଜଳଦ ଗର୍ଜ୍ଜନେ ତରାସି ବାନର

ବର୍ଷଇ ଦର୍ଶାଇ କରକା ସମ୍ୱଳ ।

ଶତ ଶକ୍ରଧନୁ ସ୍ଫୁରଇ କୌତୁକେ,

କି ଦେବ ଗିରୀନ୍ଦ୍ର ତୋତେ ଯଉତୁକେ ?

ମେଘ-ଅନ୍ଧାରିତ ତୋ-ବକ୍ଷ-ଆକାଶେ

ନାଚଇ ଚପଳା ଦ୍ୟୁତି ପରକାଶେ ।

ସେ ଦିବ୍ୟ ନର୍ତ୍ତନେ କଳାପି-କଳାପ

ବର୍ହ ଟେକି ହର୍ଷେ କରନ୍ତି ଆଳାପ ।

ସେ ଧ୍ୱନି ଶ୍ରବଣେ ସଂଯୋଗୀ ସରସ,

ବିଯୋଗୀ ହୃଦୟ ଦୁଃଖରେ ବିରସ ।

‘‘କୋବା’’ ‘‘କୋବା’’ କାହିଁ ଡାକଇ ଡାହୁକ

ସ୍ୱରମଧ୍ୟେ ତାର ରାଜେ କି କୁହୁକ !

ସେ ସ୍ୱର-ବ୍ୟାଜେ କି ତୁହି ଗିରିବର

ପଚାରୁ ମୋ-ନାମ ଅଜ୍ଞାତ ତୋହର ?

ଜଳଦ ଶବଦେ କମ୍ପଇ ଅବନୀ

ଗିରି ଗର୍ଭୁଁ ଉଠେ ଶତ ପ୍ରତିଧ୍ୱନି ।

ତୋ-ଅର୍ଦ୍ଧଶୟାନ-କଲେଇ ପ୍ରସ୍ତର

ଦିଶେ କି ବିରାଟ ଭୀମ କଳେବର !

ବଜ୍ରୀ-ବଜ୍ରାଘାତେ ଉଡ଼ି ସ୍ଥାନ ଛାଡ଼ି,

ପଡ଼ିଛି କି କେଉଁ ଗିରି ମୁହଁ ମାଡ଼ି ?

ଅଳ୍ପଦୂରେ ତାର ରାଜେ ଗଦବର

ଧନ୍ୱନ୍ତରି ତୀବ୍ର-ବିଷ-ଦୋଷ-ହର ।

ସ୍ପରଶି ତା-ଦେହ ବହନ୍ତେ ସମୀର,

ପରିହରି ଦୋଷ ବିଶୁଦ୍ଧ ଶରୀର ।

ଠାବେ ଠାବେ ଶୋହେ ସୁରମ୍ୟ ନିର୍ଝ୍ଝର,

ଶୁଭଇ ଶବଦ ସଦା ଝର ଝର ।

ଯହୁଁ ପଡ଼ି ଜଳ ଚୂର୍ଣ୍ଣ ଶିଳାପରେ

ଉଠି ନାନାରଙ୍ଗେ ଉର୍ଦ୍ଧ୍ୱେ ଗତି କରେ ।

ଜଳ କଣାପରେ ରବିକର ପଡ଼ି

ସୃଜେ ଶକ୍ରଧନୁ ତହିଁ ଘଡ଼ି ଘଡ଼ି ।

ମାନସ-ନୟନ-ସୁନ୍ଦର ସେ ଛବି

କଳାପି-କଳାପ-ଗର୍ବ-ହର-ପବି ।

ଦର୍ଶନେ ଦର୍ଶକ ଆନନ୍ଦିତମନା

ଇହ ଲୋକେ ନାହିଁ ସେ ଛବି-ତୁଳନା ।

ସୁନ୍ଦର କୁସୁମ କେତେ ଅଜାଣିତ

ଫୁଟିବାରୁ ତୋର ଅଙ୍ଗ ସୁବାସିତ ।

ଶୋଭନ୍ତି ଦିବସେ, ଯେସନ ଗଗନେ

ଉଡ଼ୁପନ୍ତି ପୂର୍ଣ୍ଣ-ଶଶାଙ୍କ-କିରଣେ ।

ବିଶାଳ ଉପଳ କାହିଁ ଠାବେ ଠାବେ

ବିଦୀର୍ଣ୍ଣ ସଲିଳ-ଉତ୍ତାପ-ପ୍ରଭାବେ ।

ନିମ୍ନମୁଖ ଯେହ୍ନେ ସୁଡ଼ଙ୍ଗ ଭୀଷଣ,

ଅନ୍ଧକାର ଯହିଁ କରେ ରାଜପଣ ।

ନୈସର୍ଗିକ ସେହି ସୁଡ଼ଙ୍ଗ ନିକର

ଦେଖିନାହିଁ ବାରେ ଦିବାକର କର ।

ବାସରେ ଉଲୁକ ଯହିଁ ମଣି ରାତି

ରାବଇ ବିକଟେ ବାୟସ ଅରାତି ।

ଶୁଣନ୍ତେ ଭୈରବ କର୍କଶ ସେ ଡକା,

ଉପୁଜଇ ହୃଦେ କ୍ଷଣେ କ୍ଷଣେ ଦକା ।

କୁମ୍ଭାଟୁଆ ଖଗ କାହିଁବା ରାବଇ,

ବନଦେବୀଙ୍କର ସମୟ ଜ୍ଞାପଇ ।

କାହିଁ ବା ନିର୍ଝର ଗିରିର ଉଦରେ

ଝରଇ ଉପଳୁଁ ଉପଳେ ଝର୍ଝ୍ଝରେ ।

ପାଷାଣୁଁ ପାଷାଣେ ଲମ୍ଫ ଦେଇ ଖରେ,

ସୃଜେ କ୍ଷୁଦ୍ର କ୍ଷୁଦ୍ର ପ୍ରପାତ ନିକରେ ।

କରି ଶୁଣ୍ଢାକୃତି ସେହି ଜଳଧାରା,

ଧରେ ନାନାରୂପ ମନୋ-ନେତ୍ର-କାରା ।

ଅର୍ଦ୍ଧବାଟ ଯାଏ ବର୍ତ୍ତୁଳ ଆକାର,

ତହୁଁ କ୍ରମେ କ୍ରମେ ବଢ଼ଇ ପ୍ରସାର ।

ବାୟୁବଳେ ପୁଣି ହୋଇ ଖଣ୍ଡ ଖଣ୍ଡ,

ପଡ଼ି ଶିଳାତଳେ ଗଡ଼େ ଲଣ୍ଡ ଭଣ୍ଡ ।

ଚଉପାଶେ ତାର ତୃଣ ସୁଶ୍ୟାମଳ,

ଲୋଚନ-ରୋଚକ ସୁନ୍ଦର ଭୂତଳ ।

ନିକଟେ ତାହାର ଶୋଭଇ ପ୍ରଚୁର,

ଧନ୍ୱନ୍ତରୀ ପୁଣି ଆରଣ୍ୟ ଖର୍ଜ୍ଜୁର ।

ଠାବେ ଠାବେ କାହିଁ ଶୋହେ ଉଦୁମ୍ୱର,

ଗଣ୍ଠି-ଗଣ୍ଠି ପେନ୍ଥା-ପେନ୍ଥା ଫଳଭର ।

ଘୋଣ ଘୋଣାକୃତି ବିଶାଳ ପାଷାଣ

ପଡ଼ିଅଛି ଠାବେ ଠାବେ ଅପ୍ରମାଣ ।

ସମୀର ସଙ୍ଗତେ ତହିଁ ବଂଶବନ

କରୁଅଛି ବିଭୁ-ମହିମା-ଗାୟନ ।

ଆକୃତି ବିଶାଳ କାହିଁ ରାଜେ ଶାଳ,

ଅଶନ, ପିଆଳ, ପୁଣି କେନ୍ଦୁମାଳ ।

ମାଧବୀ ଆଶ୍ରିଛି ବିଶାଳ ପିଆଳେ,

ଶୋଭଇ ମାଳତୀ କାହିଁ କେନ୍ଦୁମାଳେ ।

ନ ଭଲି ଆଶ୍ରୟ ଶିଆଳୀ ସୁନ୍ଦରୀ

ଗଡ଼େ ଧରାତଳେ କପାଳ ଆଦରି ।

ବନଦେବୀଙ୍କର ସ୍ୱର୍ଣ୍ଣ ପେଣ୍ଡି ପରି

ଶୋହେ ମୁଚୁକୁନ୍ଦ ଦିବ୍ୟରୂପ ଧରି ।

ନାନା ବନସ୍ପତି-ଶୋଭିତ ତୋ-ବନ

ଶୋହେ ଯଥା ସ୍ୱର୍ଗେ ନନ୍ଦନ କାନନ ।

ଚୂଉଁ ଚୂଉଁ ଶବ୍ଦେ ଆଶ୍ରୟି କନ୍ଦରା

ଡାକେ ବନ ବଧୂ କାହିଁ ଚୁଚୁନ୍ଦରା ।

କୋଟରା କାହିଁବା ଶାଳ୍ମଳୀ କୋଟରେ

କରଇ ମଧୁର ସଙ୍ଗୀତ ସୁସ୍ୱରେ ।

ପଡ଼ିଛି କାହିଁ ବା ବିଛା ପାହାଡ଼ିଆ,

ଆଗ ନିଶ ଯୋଡ଼ା କରିଅଛି ଠିଆ ।

ସୁତୀକ୍ଷ୍ଣ ମୁନିଆ ସେ ନିଶର ଦାଉ

ଅନୁଭବୀ ବିନା କେ ବର୍ଣ୍ଣିବ ଆଉ ।

ଦେଖି ସେ ଉତ୍କଟ ବିକଟ ମୂରତି

ହୃତ୍‍କମ୍ପ ଉପୁଜେ, ରୋମାଞ୍ଚିତ ମତି ।

ପାଟକମରିଆ ଚୂଳିଆ ଗୋବରା

ଡାଳୁଁ ଡାଳେ ଡେଇଁ ନ ପଡ଼ନ୍ତି ଧରା ।

ପରସ୍ପରେ କାହିଁ କରନ୍ତି ଲଢ଼ାଇ

ତଳେ ପଡ଼ି ହୋଇ ଗଡ଼ାଇ ତଡ଼ାଇ ।

ବସିଅଛି ଝାମ୍ପି ଶ୍ୟେନ ତରୁଡ଼ାଳେ

ରାବଇ ବିକଟେ ପତ୍ର ଅନ୍ତରାଳେ ।

ପଡ଼ିଲେ ସୁବିଧା ଝାମ୍ପି ନେବ ବେନି

ସାରିବ କଳହ ଚିରଦିନ ଘେନି ।

ଏକାଳେ ତାଙ୍କର ଉର୍ଦ୍ଧ୍ୱେ ଉଡ଼ି ଟିପି

‘‘ଟୁଇ’’ ‘‘ଟୁଇ’’ ଚ୍ଛଳେ ଦେଲା ବାର୍ତ୍ତା ଟିପି ।

ତଥାପି ତାଙ୍କର ତିଳେ ଦୃଷ୍ଟି ନାହିଁ,

ଯୁଝନ୍ତି ନିର୍ଭୟେ ବୀରତ୍ୱ ଦେଖାଇ ।

ନିତ୍ୟ ଏ ଜଗତେ ବୀରତ୍ୱ ପଣିଆ

ଛାର ପ୍ରାଣ ସିନା ଅଢ଼େଇ ଦିନିଆ ।

ଜୀବନ ଅବଶ୍ୟ ବସ୍ତୁ ଉପାଦେୟ,

ସମର ପ୍ରାଙ୍ଗଣେ ମାତ୍ର ସେହୁ ହେୟ ।

ମରୁ ଅବା ଜିଣୁ ଏ ଯୋଡ଼ିଏ କଥା

ବୀରେ ନ ଜାଣନ୍ତି ଏଥିରୁ ଅନ୍ୟଥା ।

ଏସମୟେ ଶ୍ୟେନ ନେଲା ବେନି ଝାମ୍ପି

ପାଇଣ ସୁବିଧା ତୀକ୍ଷ୍ଣ ନଖେ ଜାପି ।

ବେନି ମହା ବୀରେ ତେଜିଲେ ପରାଣ

ବେନିଙ୍କର ସମ ବୀରତ୍ୱ ପ୍ରମାଣ ।

ଧନ୍ୟ ମାଲ୍ୟ ଗିରି ତୁ ସଙ୍ଗୀତମୟ,

ଶ୍ରବଣେ ନାଚଇ ଆନନ୍ଦେ ହୃଦୟ ।

ମଧୁର ଗାୟକ ବିହଙ୍ଗ କାକଳି

ଶୁଭଇ ଶ୍ରବଣ-ସୁଧା-ରସାବଳୀ ।

ମେଖଳାରେ ତୋର ପ୍ରପାତ-ସଙ୍ଗୀତ

ଶୁଣନ୍ତେ ମାନବ-ମାନସ ମୁଦିତ ।

ମଧୁ ଚକ୍ରେ ତୋର ପ୍ରସ୍ତରକୋଟରେ

ମଧୁପ ଗୁଞ୍ଜନ ଜନ-ମନ ହରେ ।

ଚିର ନିସ୍ତବ୍ଧତା-ଗମ୍ଭୀର ସଙ୍ଗୀତ

ଶିଖରେ ତୋହର ସଦା ବିରାଜିତ ।

ଦେଖନ୍ତେ ସେ ରମ୍ୟ ଶୃଙ୍ଗ ତୋର ବୁଲି

ସଂସାର ଜଞ୍ଜାଳ ହୃଦ ଯାଏ ଭୁଲି ।

ଅଦୃଷ୍ଟ ସେଠାରେ ଭବ ମାୟା କଳି,

ତହିଁ ନାହିଁ ପକ୍ଷୀ-ମଧୁର କାକଳି ।

କେବେ କେବେ ଝଞ୍ଜା-ପବନ-ନିସ୍ୱନ

କରୁଥାଏ ତାର ମହିମା କୀର୍ତ୍ତନ ।

ଝିଲ୍ଲିକା ଶବଦେ କେବେ ବା ମୁଖର

ହେଉଥାଏ ସେହି ନିସ୍ତବ୍ଧ ଶିଖର ।

ଆଧ୍ୟାତ୍ମିକ ବାୟୁ-ମଣ୍ଡଳ ନିର୍ମ୍ମଳ,

ସ୍ପର୍ଶି ନାହିଁ ତହିଁ ଭବ-ମୋହ-ମଳ ।

ଉପୁଜଇ ଭାବ ସନ୍ତତ ସାତ୍ୱିକ,

ଅଜ୍ଞାତ ସେଠାରେ ଭୟ ତାମସିକ ।

ରାଜସ ତାମସ ଚିନ୍ତାର ଆଘାତେ

ଦେଖା ନାହିଁ ବାରେ ସ୍ପନ୍ଦନ ସେ ବାତେ ।

ରୋମାଞ୍ଚ ପୁରିତ ଟାଙ୍କୁରିତ ଦେହେ

ଭ୍ରମନ୍ତେ ସେ ସ୍ଥାନ ମୁହିଁ ଅତି ସ୍ନେହେ;

ଅନାଦି ପରମ ଅଶବ୍ଦ ନିନାଦ

ଧ୍ୟାନ କର୍ଣ୍ଣେ ମୋର ଦେଲା ଏ ସମ୍ୱାଦ ।

‘‘ନଭୁଲ ନଭୁଲ ଅଜ୍ଞାନ ଅନ୍ଧାରେ,

ଦିଅ ଦୃଷ୍ଟି ବତ୍ସ ! ଜ୍ଞାନାଲୋକେ ବାରେ ।

ଛାଡ଼ ଛାଡ଼ ମନୁଁ ସଂସାର ଜଞ୍ଜାଳ,

ରହିବୁ ଏପରି ଆଉ କେତେ କାଳ ?

ଧନ, ରତ୍ନ, ମାତା, ପିତା, ବନ୍ଧୁ, ଭାଇ,

ନିଧନେ ତୋ-ସଙ୍ଗେ ନ ଯିବେ ଗୋଡ଼ାଇ ।

ମୁହିଁଟି ତୋହର ସମ୍ୱଳ ପ୍ରାଣର

ଆଉ ସବୁ କଥା ଅଢ଼େଇ ଦିନର ।

ରହିବ କି ତୋର ଏହି କଳେବର ?

ରହିବ କି ତୋର ଏ ପାଷାଣ ଘର ?

ଏଣେ ତେଣେ ତୁହି ବୁଲୁଛୁ କିମ୍ପାଇ ?

ଭବପ୍ରଲୋଭନମନ୍ତ୍ରେ ହୋଇ ବାଇ ।

ଭକ୍ତି ପୁତମନେ ଘେନି ମୋ-ଆଶ୍ରୟ

ବିଦୂରିବ ତୋର ଭବ ଦୁଃଖ ଭୟ ।’’

ବଂଶ କୁଞ୍ଜ ପୁଞ୍ଜ-ଶୋଭିତ ମେଖଳା

ଦିଶେ ନୀଳପଟ୍ଟ ଯେହ୍ନେ କଟିଗଳା ।

ପଦ୍ମ ରାଗ ବୃନ୍ତ-ସ୍ଫଟିକ ମାଳିକା

ଶୋହେ ସୁକୁମାରୀ କାହିଁ ଶେଫାଳିକା ।

ସ୍ତବକ ଉରକେ ଅଶୋକ ବ୍ରତତୀ

ନତମୁଖୀ କାହିଁ ଯେହ୍ନେ କୁଳବତୀ ।

ଶୃଙ୍ଗ ପରେ ଶୃଙ୍ଗ ଶୃଙ୍ଗ ତା-ଉପରେ,

ବିରାଜିତ ସ୍ତରେ ସ୍ତରେ ଗଗନରେ ।

ନୀଳ କଟି ତୋର ସୁସଙ୍ଗୀତମୟ,

ପୁଲକି ଉଠଇ ଶ୍ରବଣେ ହୃଦୟ ।

ବସନ୍ତବିଳାସୀ ପିକଗାୟକର

ଶୁଭିଲା ଏଠାରେ ସୁମଧୁର ସୁର ।

ଲଳିତ ପଞ୍ଚମ ମଧୁର ସଙ୍ଗୀତ,

ହୃଦ ଯନ୍ତ୍ରେ ମୋର ସେ ପ୍ରତିଧ୍ୱନିତ,

ଘାଣ୍ଟି ହେଲା ମନ ସ୍ମରି ଚାଟୁ କଥା,

ସଂସାର ଜଞ୍ଜାଳ ଘୁରାଇଲା ମଥା ।

ଲଭୁଥିଲି ସ୍ୱର୍ଗ-ସୁଖ ମୁଁ ଉପରେ,

ପଡ଼ିଲି ଏଥର ସଂସାର ଭିତରେ ।

ଶାନ୍ତି ଦେବୀଙ୍କର ଚିର ନିକେତନ

ଊର୍ଦ୍ଧ୍ୱେ ନ ଥିଲା ଏ-ସ୍ୱର ବିମୋହନ ।

ସୁଧାଫଳପ୍ରସୂ ଧବଳ ପୁଷ୍ପିତ

ଘୁରୁଡ଼ୁ ଉପରେ ନଥିଲା ବିଦିତ ।

ନଥିଲା ସେଠାରେ ପାଦପ ରସାଳ,

ଶୋଭନ୍ତି ଏଠାରେ ଏବେ ମାଳ ମାଳ ।

ଶିମୂଳୀ, ପାଟଳୀ, ଧାତକୀ, ପଲାଶ,

କରନ୍ତି ଏଠାରେ ଶୋଭା ପରକାଶ ।

କାହିଁ ଶୁଷ୍କ, ଦଗ୍ଧ, କାହିଁ କଞ୍ଚା ପତ୍ର,

କାହିଁ ବାଳ ତାଳ-ଖଣ୍ଡା-କରପତ୍ର ।

ଛନ୍ଦା ଛନ୍ଦି କାହିଁ ଲତାପରେ ଲତା,

ଦେଖାନ୍ତି ବୟସୀ-କ୍ରୀଡ଼ା-ଚପଳତା ।

ବାତ୍ୟା ଆନ୍ଦୋଳିତ କିସଳୟକରେ

ଡାକନ୍ତି କି ଅବା ପଥଶ୍ରାନ୍ତ ନରେ ?

ଫଳ ପୁଷ୍ପ ଦାନେ ତୋଷିବାକୁ ମନ

ଛାୟା ତଳେ ଦେଇ ଆଶ୍ରାନିକେତନ ।

କାହିଁ ତରୁ ଗୁଳ୍ମ-ଲତା ଜଡ଼ା ଜଡ଼ି

ମିଶାମିଶି ମହୀ-ତଳେ ଗଡ଼ାଗଡ଼ି ।

ଠାବେ ଠାବେ କାହିଁ ଶିଁଶପା ପିଆଳ,

ଅଶନ ମହୁଲ, କୁସୁମ, ତମାଳ ।

କଟି ତଟେ ତୋର ପୁଷ୍ପିତ କିଁ ଶୁକ

ଦିଶେ ଯେହ୍ନେ ବନ-ଦେବୀ-ରକ୍ତାଁଶୁକ ।

ତୋର ନାଗେଶ୍ୱର-ବନୀ ମନୋହରା

ତା-ରୂପ-ଭାବନା କବିଦିନସରା ।

ମାନସ ଚକୋର-ସୁଧାବ୍ଧି ପ୍ରକାର

ଶୋଭା, ନେତ୍ରମୀନ-ବଡ଼ଶୀ ତାହାର ।

ଯହିଁ ବିହରନ୍ତି ଦେବ ଉମେଶ୍ୱର

ବରାଭୟ ଦାନୀ ପିନାକୀ ଶଂକର ।

ସମୀରଣ ତହୁଁ ବହି ପରିମଳ

ମନ୍ଦମନ୍ଦେ ଖଟେ ତୋ-ଅଙ୍ଗ ଶୀତଳ ।

ବାୟୁରଥେ ତହିଁ ଜଳଦ ସମର

ଦର୍ଶନେ ଉପମା ଭବେ ଅସୁକର ।

ପୁଚ୍ଛ ଟେକି ବର୍ହୀ ସଜ୍ଜ ହୋଇ ଠିଆ

ଶକ୍ର ଚାପ ଦିଶେ କି ଚକଚକିଆ ?

ତୋପ ରଡ଼ିସମ ତହିଁ ଘନରଡ଼ି,

ଜଳଧାରା ଶରେ ପଡ଼ୁଛନ୍ତି ଝଡ଼ି ।

ଡାହୁକର ପୁଣି ମଧ୍ୟେ ବୀର ଡାକ

ଶ୍ରବଣେ ଦର୍ଶକ ହୃଦୟ ଅବାକ ।

କାହିଁ ଗୁଞ୍ଜତରୁ ଆଶ୍ରିଛି ଗଗନେ,

ଫଳ ପୁଷ୍ପ ତାର ଯେସନ ରତନେ ।

ତୋର ସୁମଞ୍ଜୁଳ ବ୍ରତତୀ ନିକୁଞ୍ଜେ

ଗୁଣୁ ଗୁଣୁ ସ୍ୱରେ ମତ୍ତ ଅଳି ଗୁଞ୍ଜେ ।

ନବ ପଲ୍ଲବିତ କେନ୍ଦୁ ବୃକ୍ଷ ପନ୍ତି

କି ସୁନ୍ଦର ଦିଶି ଧରଣୀ ମଣ୍ଡନ୍ତି ।

ଲାବଣ୍ୟବତୀର କରତଳୋପମ

ପତ୍ରାବଳୀ ତହିଁ ରାଜେ ମନୋରମ ।

ଦର୍ଶନେ ମାନସେ ବଢ଼ଇ ପୀରତି,

ଆନନ୍ଦ ବାରିଧି-ମଗ୍ନ ହୃଷ୍ଟ ମତି ।

ଗଣେଶ୍ୱର ନୃପ-କୀରତି-ନିର୍ଝ୍ଝର

ପ୍ରାୟେ ଦିଶେ ତୋର ମାର୍ଗ ମନୋହର ।

ତୃଣ-ସୁଶ୍ୟାମଳ ତୋ-ଦେହ ଉପରେ

ଇନ୍ଦ୍ର ନୀଳେ ରୋପ୍ୟ-ଗାର ପରି ଝଳେ ।

‘‘ଉତ୍ତମ ଶ୍ଳୋକର ପୁଣ୍ୟ ସଂକୀର୍ତ୍ତନ’’

କରୁ ନିତ୍ୟ ତୁହି ଶଇଳ ରାଜନ !

ସେ କୀର୍ତ୍ତନେ ଦ୍ୟନ୍ତି ଯୋଗ ଚରାଚରେ

ଦେବଧାମୁଁ ଆସି ଗାବନ୍ତି ଅମରେ ।

ସମଙ୍ଗ ବାସିନୀ ଦେବୀ ରାମଚଣ୍ଡୀ

ଗାବନ୍ତି ସଙ୍ଗୀତ ଭବଭୟ ଖଣ୍ଡି;

ଜ୍ୟୋସ୍ନା ଧବଳିତ ସମଙ୍ଗ ତରଙ୍ଗେ

ରଚନ୍ତି ଯେ ନାବ-କେଳି ନାନାରଙ୍ଗେ ।

ହରଚଣ୍ଡୀ ଦୈତ୍ୟ-କୁଳ ବିନାଶିନୀ

ନୃସିଂହ ପାଟନା-ବନ୍ତ-ନିବାସିନୀ,

ଚନ୍ଦ୍ରାଲୋକେ ଯେହୁ ବାଲିସ୍ତୁପେ ଖେଳା

କରନ୍ତି ସଙ୍ଗତେ ଦେବୀ ମେଳା ମେଳା ।

ଅଭୟ ଦାୟିନୀ ଶ୍ରୀକ୍ଷେତ୍ର ଈଶ୍ୱରୀ

ବିମଳା, ଦକ୍ଷିଣ-କାଳୀ ସହଚରୀ,

କେଶରୀ ବାହନେ ଅତୁଳ ବିକ୍ରମା

ବିରଚି ନିଶିଥେ କ୍ଷେତ୍ର-ପରିକ୍ରମା,

ଦେଖନ୍ତି ଯେ ନିତି ନୀଳାର୍ଣ୍ଣବଖେଳା

ସ୍ୱର୍ଗଦ୍ୱାରେ, ଯହିଁ ବୁଡ଼େ ଭବଭେଳା ।

ବିପନ୍ନ-ଅଭୟ-ଦାୟିନୀ ଶଙ୍କରୀ

ବାଙ୍କୀ ଅଧିଷ୍ଠାତ୍ରୀ ତ୍ରିପୁର ସୁନ୍ଦରୀ;

ବନ୍ଦାରୁ ମାନସ-କୁମୁଦ-ଚନ୍ଦ୍ରିକା

ମହାନଦୀ-ତୀର-ବାସିନୀ ଚର୍ଚ୍ଚିକା ।

ରଣପୁରେଶ୍ୱରୀ ମୈନାକ ବାସିନୀ

ଚଣ୍ଡ-ମୁଣ୍ଡ-ଶୁମ୍ଭ-ନିଶୁମ୍ଭ-ନାଶିନୀ ।

ରଣ ପୁର ଶାଢ଼ୀ ଯାର ପରିଧାନ

ଲଲାଟେ ସିନ୍ଦୁର-ବିନ୍ଦୁ ଶୋଭମାନ ।

ଗୁବାକ ନିକୁଞ୍ଜ-ମନ୍ଦିର ବସତି

ବାଣ ପୁରେଶ୍ୱରୀ ଦେବୀ ଭଗବତୀ ;

ଦେଖନ୍ତି ଯେ ମୁଖ ଶାଳିଆ ମୁକୁରେ

ଘଣ୍ଟା ଶିଳା ଶିରେ ବସି ଚନ୍ଦ୍ରାଁଶୁରେ ।

ବିକଟ ସଂକଟ-ତାରିଣୀ ସାରଳା

ଝଙ୍କଡ଼ ଈଶ୍ୱରୀ ଭକତ ବତ୍ସଳା ।

ଦେବୀ କାଳି ଜାଇ ଆତଙ୍ଗ ନାଶିନୀ

ତୈଲଙ୍ଗି ଭୂଷଣ ମଞ୍ଜୁଳ ବେଶିନୀ,

ଚିଲିକା ତରଙ୍ଗା-ୟିତ ବକ୍ଷ ପରେ

ଦେଖନ୍ତି ଯେ ନାନା-ଦୃଶ୍ୟ ଚନ୍ଦ୍ରକରେ ।

ଯଯାତି କେଶରୀ-ବାଞ୍ଛା-କଳ୍ପଲତା

ଯାଜପୁରେଶ୍ୱରୀ ବିରଜା ଦେବତା ।

ଚନ୍ଦ୍ରଭାଗା-ତୀର-ସୈକତ-ବିଳାସୀ,

ଦେବ ଅଂଶୁମାଳୀ କୋଣାର୍କ ନିବାସୀ ।

ନବଘନକାନ୍ତି ମୁରଲୀ ଅଧର

ଭାଲେ ଶୋହେ ଚାରୁ ଚିତା ମନୋହର,

ତ୍ରିଭଙ୍ଗି ମୂରତି ବସୁ ଦେବ ବାଳ

ସତ୍ୟବାଦୀଶ୍ୱର ଶ୍ରୀସାକ୍ଷୀ ଗୋପାଳ ।

ଏ ଆଦି ଦେବାତା-ଗଣ ଏଥି ଆସି

କରନ୍ତି କୀର୍ତ୍ତନ ମହାନନ୍ଦେ ଭାସି ।

ମାର୍ଦ୍ଦଳିକ ଏଥି ଜୀମୂତ ପଟଳୀ,

ହୀରକ ମସାଲ ନକ୍ଷତ୍ର ଆବଳୀ ।

ରୂପେ ରତିଜିଣା ପରମା ସୁନ୍ଦରୀ

ଏ କୀର୍ତ୍ତନେ ତାଳ ପକାନ୍ତି ଅପ୍ସରୀ ।

ବ୍ୟୋମକେଶ ଏଥି ମୃଡ଼ାନୀ ସଙ୍ଗତେ

କରନ୍ତି ତାଣ୍ଡବ ସୁଖେ ନାନା ମତେ ।

ବାୟୂ ସଙ୍ଗେ ଠାବେ ଠାବେ ପ୍ରବାହିତ

ସେ କୀର୍ତ୍ତନ ଧ୍ୱନି ହୁଅଇ ଧ୍ୱନିତ ।

ଅଷ୍ଟାପଦ ପ୍ରସୂ ବୃକ୍ଷ ଅନ୍ଧାରୁଆ

ଭୁଜଙ୍ଗ ଗାମିନି ନଦୀ କଖାରୁଆ ।

ଗଣେଶ୍ୱର ନୃପ-ସ୍ନାହାନ ଉପଳେ

ଦେ ଦିବ୍ୟ ସଙ୍ଗୀତ ଘୋଷେ କଳକଲେ ।

ସହକାର କୁଞ୍ଜ-ସୁମଞ୍ଜୁଳ ତୀରା

ପାଷାଣ ମାଳିନୀ ବ୍ରାହ୍ମୀ ସ୍ୱଚ୍ଛନୀରା ।

ଗାବେ ସେ କୀର୍ତ୍ତନ ହର୍ଷେ ଉର୍ମିତାଳେ

କିଶୋର ଭୂପାଳ-ବୀରସିଂହ ଦ୍ୱାରେ ।

ଖଣ୍ଡଗିରିଦରୀ-ସୁନ୍ଦର ଉଦରେ

ମାରୁତ ସଙ୍ଗତେ ସେ ଧ୍ୱନି ସଞ୍ଚରେ ।

ମହାନନ୍ଦେ ଗାଏ ନୀଳ ପାରାବାର

ଗାୟତ୍ରୀ ଚ୍ଛନ୍ଦେ ସେ ସଙ୍ଗୀତ ଉଦାର ।

ଗାବେ ମହାନଦୀ କଳକଳ ସ୍ୱରେ

ସେ କୀର୍ତ୍ତନ ଧ୍ୱନି ମହାନନ୍ଦଭରେ ।

‘‘ମରାଳ ମାଳିନୀ ନୀଳାମ୍ୱୁ ଚିଲିକା’’

କବି ରାଧାନାଥ କଳପ ବଲ୍ଲିକା ।

କାଳୀଜାଇ ଗଣ୍ଡ ଶଇଳ ନିକଟେ

ଉର୍ମିଧ୍ୱନିଛଳେ ସେ କୀର୍ତ୍ତି ପ୍ରକଟେ ।

ଏସନ ତୁ ଭୁଞ୍ଜୁ ନିତ୍ୟ କୀର୍ତ୍ତିସୁଖ,

ନାହିଁ ତୋର ହୃଦେ ଭବ ବ୍ୟାଧି ଦୁଃଖ ।

ନାହିଁ ତୋ-ଶରୀରେ ଜରା ଆବିର୍ଭାବ,

ପ୍ରଦର୍ଶଇ ସଦା ଯୌବନ ପ୍ରଭାବ ।

କେତେ କେତେ କୀର୍ତ୍ତି-ଶାଳୀ ନୃପବର,

କେତେ ରାଜଧାନୀ କେତେ ବା ନଗର ।

ବିଲୀନ ନିଷ୍ଠୁର କୃତାନ୍ତ କବଳେ,

ତାଙ୍କର ତୁ ସାକ୍ଷୀ ଅଟୁ ଏ ଉତ୍କଳେ ।

ତରୁ ଲତା ଗୁଳ୍ମ ରାଶି ସୁଶ୍ୟାମଳ,

ମାରକତ ସ୍ତୁପ ପ୍ରାୟେ ଢଳ ଢଳ ।

ବାରେ ଦେଖିଲେ ତୋ-ରୂପ ମନୋହର,

ନ ଯିବ ପାସୋରି ହୃଦୁଁ ଭାବୁକର ।

ସକଳ ଶୋଭାର ତୁ ଆଶ୍ରୟ ସ୍ଥଳ,

ଭକ୍ତ ସୂରିଙ୍କର ଅମୂଲ୍ୟ ସମ୍ୱଳ ।

ଭ୍ରମିଛି ବହୁଶଃ ନୀଳାର୍ଣ୍ଣବତଟେ,

ଚିତ୍ରିଛି ଲହରୀ-ଲୀଳା ହୃଦପଟେ ।

ତରଙ୍ଗ ଉପରେ ତରଙ୍ଗ ଉଥ୍ଥାନ,

ତଦୁପରି ଫେନ-ପୁଞ୍ଜ ଶୋଭମାନ ।

ଦୂରେ ଦିଶୁଅଛି ସିନ୍ଧୁ କଳେବର,

ମିଶ୍ରିତ ସୁନୀଳ ଗଗନେ ସୁନ୍ଦର ।

ଭାସଇ ବୋଇତ ନୀଳ ବକ୍ଷେ ଯାର,

ତିମି ତିମିଙ୍ଗିଳେ କରନ୍ତି ବିହାର ।

ତାଳପତ୍ର ଟୋପି ପିନ୍ଧିଣ ଚୂଳିଆ,

କ୍ଷେପା ଜାଲ ଯହିଁ ପକାନ୍ତି ନୋଳିଆ ।

ଦିଶୁଥାଏ ଖାଲି ଟୋପି ଟି ତାଙ୍କର,

ଜଳେ ବୁଡ଼ିଥାଏ ସର୍ବ କଳେବର ।

ଚନ୍ଦ୍ରାଲୋକେ ପୁଣି ବାରିଧି ସୈକତେ,

ଭ୍ରମିଛି ସାନନ୍ଦେ ସଂଙ୍ଗୀଙ୍କ ସଂଙ୍ଗତେ ।

ଶୁକ୍ତି ତାରକିତ ସୈକତ ପ୍ରଦେଶ,

ଦର୍ଶନେ ହୃଦୟେ ଆନନ୍ଦ ବିଶେଷ ।

ଚନ୍ଦ୍ରକର ଲଭି ସ୍ଫୀତ ନୀଳାର୍ଣ୍ଣବ,

ଗର୍ଜ୍ଜଇ ଭୀଷଣେ ଦେଖାଇ ବିଭବ ।

ଦେଖି ସେ ସୁଷମା ଚିତ୍ତ ବିହ୍ୱଳିତ,

ବିଭୁଙ୍କ ମହିମା ସୁମରି ଚିନ୍ତିତ ।

ବୁଡ଼ିଗଲା ମୋର ସଂସାର ଜଞ୍ଜାଳ,

ସେ ଆନନ୍ଦ ସିନ୍ଧୁ-ନୀରେ କ୍ଷଣକାଳ ।

ଖଣ୍ଡଗିରି ଆଦି ସୁରମ୍ୟ ପାହାଡ଼,

ବିରାଜଇ ଯହିଁ ଐର କୀର୍ତ୍ତି ବାଡ଼ ।

ଦେଖି ଅଛି ତହିଁ ଭ୍ରମି ଗୁମ୍ଫା ଚୟ,

ଯୋଗୀ ଜନଙ୍କର ଉଚିତ ନିଳୟ ।

କେତେ କଳା, ଧଳା, ଲୋହିତ, ହରିତ,

ବିହଙ୍ଗମେ ଦେଖି ମାନସ ମଦିତ ।

ଉଭା ହେଲା ବେଳେ ସେ ଗିରି ଶିଖରେ,

ଦେଖିଲି ବାଷ୍ପୀୟ ଯାନ ଗତିକରେ ।

ବାୟୂ ବେଗେ ଗତି କରଇ ପ୍ରଖର,

ଦିଶେ ଧୂମରେଖା ସରୁ ମନୋହର ।

ତା ଦେଖି ହୃଦୟେ ଆନନ୍ଦ ଅମାପ,

ଦିଶେ ଦୂରୁଁ ଯଥା ତେଲୁଗୁଣୀ ସାପ ।

ଭ୍ରମି ଅଛି ପୁଣି ରାହାଙ୍ଗ ଶାସନେ,

ପୁନ୍ନାଗ ପନସ ଶ୍ୟାମଳ କାନନେ ।

କଳି କାଳ କଳ୍ପ ଦ୍ରୁମ ନାରୀକେଳ,

ରଚଇ ଆନନ୍ଦେ ଯହିଁ ନାନାଖେଳ ।

ବିପ୍ରଗଣ ଯହିଁ ରାଜ ପ୍ରତିଷ୍ଠିତ,

ବିଭୁ ପାଦ ପଦ୍ମ-ପରାୟଣ ଚିତ୍ତ ।

ପୁଣି ଦେଖି ଅଛି ପାଟ ଯେ ସମଙ୍ଗ,

ସୁଷମା ଦର୍ଶନେ ରୋମାଞ୍ଚିତ ଅଙ୍ଗ ।

ଲଭି ମୃଦୁ ମୃଦୁ ଗନ୍ଧବହସଙ୍ଗ,

ନାନାରଙ୍ଗେ ଯହିଁ ଖେଳଇ ତରଙ୍ଗ ।

ତଥିପରେ ଜରା-ଜୀର୍ଣ୍ଣ ରବି ଛବି,

ଦର୍ଶନେ ମାନସେ ବିମୋହିତ କବି ।

ପାଟ କି ପିନ୍ଧିଛି ପୀତ ଜରୀ ପାଟ,

ଦର୍ଶନେ ଉନ୍ମୁକ୍ତ କଳ୍ପନା କବାଟ ।

କିବା ଶୋଭା ଦେବୀ ବିଶ୍ରାମ କାରଣେ,

ପାଟ କି ହୋଇଛି ଛିଆଣି କାଞ୍ଚନେ ।

ଚନ୍ଦ୍ରାଲୋକେ ଚାରୁ ଦିଶଇ ସେ ପାଟ,

ଯେହ୍ନେ ରସାତଳ ରଜତ କବାଟ ।

ପିନ୍ଧିବାକୁ ଅବା ରୂପା ଜରୀ ଶାଢ଼ୀ,

ସଜାଡ଼ି ରଖିଛି ବସୁମତୀ କାଢ଼ି ।

ଅବା ସୁର ନାରୀ ବିଳାସ ଦର୍ପଣ,

ବିହି କି ବିହିଛି ରଜତ ବରଣ ?

ତାର ତୀରେ ମୋର ଜନ୍ମ ନିକେତନ,

ଦାମୋଦର ପୁର ବ୍ରାହ୍ମଣ ଶାସନ ।

ଉମା ସହ ଯହିଁ ଆଖଣ୍ଡଳେଶ୍ୱର,

ବିରାଜନ୍ତି ପ୍ରଭୁ ଭକ୍ତ ଦୁଃଖହର ।

ତୋଷଇ ବିକସି ପ୍ରାବୃଟେ ମାଳତୀ,

ଦିବ୍ୟ ପରିମଳେ ଯହିଁ ଉମାପତି ।

ବସନ୍ତେ ମାଧବୀ-ନିକୁଞ୍ଜ ଦୋଳାରେ,

ଚନ୍ଦ୍ରାଲୋକେ ଯହିଁ ନିଶୀଥ ବେଳାରେ ।

ବନ୍ଦାରୁ ମନ୍ଦାର ଯହିଁ ଉମାଧବ ।

ବିହରନ୍ତି ଦୀନ-ଅନାଥ-ବାନ୍ଧବ,

ଆହା କି ସନ୍ଦର ବକୁଳ ବେଦିକା

ଦର୍ଶନେ ଘୁଞ୍ଚଇ ଭବ ଅହମିକା ।

ଶୋଭଇ ନିକଟେ ସୁରମ୍ୟ କାସାର,

ରମ୍ଭା ନାରୀକେଳ ଚଉପାଶେ ଯାର ।

ଦେଖ ଅଛି ଦୃଶ୍ୟ କେତେ ଏହିପରି,

କିନ୍ତୁ ତୋ-ସୁଷମା ସଙ୍ଗେ ନୁହେଁ ସରି ।

ପାଦ ଦେଶ ତୋର କେଡ଼େ ମନୋରମ !

ସୁଷମା ବର୍ଣ୍ଣନେ ରସନା-ଅକ୍ଷମ ।

ବନଦେବୀଙ୍କର ଭୂଷଣ ଶିଞ୍ଜିତ,

ପ୍ରାୟେ ଶୁଭେ ତୋର ବିହଙ୍ଗ କୂଜିତ ।

ବୁଲଇ ହରିଣୀ ଏଣେ ତେଣେ ଧାଇଁ,

ଚାରୁ ଗ୍ରୀବାଭଙ୍ଗେ ପଛକୁ ଅନାଇ ।

ତା-ଚାରୁ-ଲୋଚନ-ବିଳାସ ଚାହାଣୀ,

ଚାହାନ୍ତେ ବିରହି-ହୃଦ ହୁଏ ହାଣି ।

ଠାବେ ଠାବେ ତୋର ବନ୍ଧୁର କର୍କଶ,

ଶିଳା ତଳେ ଡେଇଁ ହୁଏ ସେ ଅବଶ ।

କଳାପ ବିସ୍ତାରି କଳାପି ନିଚୟ,

ମେଘାଲୋକେ ଅତି-ପ୍ରଫୁଲ୍ଲ ହୃଦୟ ।

ନାଚନ୍ତି ତୋ ଚାରୁ ପାଦତଳେ ରଙ୍ଗେ,

ହୃଦୟ ଉଚ୍ଛୁଳେ ଆନନ୍ଦ ତରଙ୍ଗେ ।

ବିହଙ୍ଗମେ କେତେ ତୋରଲତା ଦୋଳେ,

ମଧୁର କୂଜିତେ ଖେଳୁଛନ୍ତି ଭୋଳେ ।

ନାନାବିଧ ବୃକ୍ଷ-ମାଳେ ଅନ୍ଧାରିତ,

ପାଦପଲ୍ଲୀ ତୋର ଦିଶେ ସୁଲଳିତ ।

କି ଗୁଣ ବର୍ଣ୍ଣିବି ହେ ଗୁଣ ପର୍ବତ

ଉତ୍କଳର ତୁହି କି ମହା ଭାରତ ?

ଭ୍ରମିଲି ଉତ୍କଳେ ସ୍ନେହେ ନାନା ସ୍ଥାନ

ଦେଖିଲି ବିବିଧ ଦୃଶ୍ୟ ଚିତ୍ରମାନ ।

କାହିଁ ନ ଦେଖିଲି କିନ୍ତୁ ଉତ୍କଳରେ,

ତାହା, ନାହିଁ ଯାହା ତୋର କଳେବରେ ।

ଭାରତରେ ଯାହା ନାହିଁ ଭାରତରେ,

ଦେଖା ନାହିଁ ଶୁଣା ନାହିଁ ତାହା ଥରେ ।

ତେସନ ଉତ୍କଳ ସୁଷମା ଭଣ୍ଡାର,

ଧରିଛି ତୋ ଦେହ ବିଶାଳ ଆକାର ।

ଶୋଭାର ଆଧାର ତୋ-ଚାରୁ ଶିଖର

ଦେଖି କେ ନୋହିବ ପ୍ରେମେ ଜର ଜର ।

ବନଦେବୀଙ୍କର ଗୁପ୍ତ କେଳି ସ୍ଥଳୀ,

ତୋର ଅନ୍ଧାରୁଆ ଚାରୁ ଗୁହାବଳୀ ।

ତୋ ତୁଙ୍ଗ ଶିଖର-ନିର୍ଝ୍ଝର ଦର୍ପଣେ,

ବିଲୋକି ବଦନ ସୁରନାରୀଗଣେ ।

ଆକାଶ ବିମାନେ ବସି ପ୍ରେମ ଭରେ,

‘‘ଭାଷନ୍ତି ଆନନ୍ଦେ ହସି ପରସ୍ପରେ ।

ଦେଖ ଦେଖ ସଖି ଏ ଗିରି ଶିଖର,

ଦିଶେ ଆହା କେଡ଼େ ଚାରୁ ମନୋହର ।

ମାରକତ କାନ୍ତି ଦଳି ଏ ଶିଖରି,

ରାଜଇ ଉତ୍କଳେ ଶଇଳ କେଶରୀ ।

ଧନ୍ୟ ଧନ୍ୟ ଆରେ ଉତ୍କଳ ଭୂତଳ,

ସକଳ ଶୋଭାର ତୁ ଆଶ୍ରୟ ସ୍ଥଳ ।

ସ୍ୱର୍ଗ ସୁଖୁଁ ବଳି ତୋର ସୁଖ ଚୟ,

ବିବିଧ ବିଳାସ ସମ୍ଭୋଗ ନିଳୟ ।

ଏହିପରି ସୁଖେ ଥାଅ ଚିରକାଳ,

ବ୍ୟାପୁ ତୋ-କୀରତି ଜଗତ ବିଶାଳ ।

ନିତ୍ୟ ସୁଖ ତୋର ଭୁଞ୍ଜନ୍ତୁ ଭୂପାଳେ,

କରନ୍ତୁ ପରଜା ହିତ ସବୁକାଳେ ।

ସ୍ୱଜାତି ସ୍ୱାଶ୍ରିତେ କରୁଥାନ୍ତୁ ଦାନ,

ତେଜି ଅପବ୍ୟୟ ବଢ଼ାନ୍ତୁ ସମ୍ମାନ ।

ଚିହ୍ନନ୍ତୁ ଚିହ୍ନରା ହୋଇ ଗୁଣ ରାଶି,

ପ୍ରଜାପୁଞ୍ଜଙ୍କର ହୁଅନ୍ତୁ ବିଶ୍ୱାସୀ ।

ଆନନ୍ଦେ ରହନ୍ତୁ ତୋହର ସନ୍ତତି,

ବ୍ରାହ୍ମଣେ ଦିଅନ୍ତୁ ଧର୍ମ୍ମେ କର୍ମ୍ମେ ମତି ।’’

ତୋ-ଶୋଭା-ଦର୍ଶନେ ନିତି ଏହିପରି,

କରନ୍ତି ମଙ୍ଗଳ ଆଶିଷ ଅମରୀ ।

ଉପଦେଶମୟ ସେ ବାଣୀ ଶ୍ରବଣେ,

ଜାଗି ଉଠେ ତୋର ହୃଦ ଅନୁକ୍ଷଣେ ।

ଧନ୍ୟ ଧନ୍ୟ ତୁହି ମଳୟ ଶିଖରି,

ଉତ୍କଳ ଶିଖରି-ସମାଜ କେଶରି ।

ତୁ ଅନେକ ଗିରି ଦେଖୁ ଗିରିରଣା,

କେତେ ତୋର ଜଣା କେତେ ବା ଅଜଣା ।

ଭୂଁୟାପୀଡ଼, କୋଇ-ଦନ୍ତା ଅନ୍ଧାରୁଆ,

ଗୋନାସିକା, ଗନ୍ଧ-ମାଦନ ବାରୁଆ ।

ଏମାନଙ୍କ ସଙ୍ଗେ ତୋର ଗିରିମଣି,

ପରସ୍ପରେ ଦେଖା ଦେଖି ଜଣା ଜଣି ।

ଦେଖୁ ଆଉ ମାତ୍ର ଗିରି ସହସ୍ରଶଃ

ନ ଜାଣୁ ତୁ କିଛି ତାଙ୍କ ଗୁଣ ଯଶ ।

ନ ଦେଖିଲେ ମଧ୍ୟ ତୋତେ ସେ ସକଳେ

ଜାଣନ୍ତି ତୋହର ମହିମା ଉତ୍କଳେ ।

ଚକ୍ରବର୍ତ୍ତୀ ଚିହ୍ନେ ବଡ଼ ବଡ଼ ରଜା,

ଆଉ କେତେ ଛୋଟ ରାଜା ତା-ପରଜା ।

ତାଙ୍କୁ ଚିହ୍ନିବାକୁ କାହିଁ ଅବସର,

ମାତ୍ର ସେ ଜାଣନ୍ତି ମଣ୍ଡଳ ଈଶ୍ୱର ।

ଦେଖିଛି ଅନେକ ବନ ଉପବନ,

ଠାବେ ଠାବେ ତରୁ-ଲତା ସୁଶୋଭନ ।

ତୋରକ୍ଷିଣୀ ବନ-ସଙ୍ଗେ ତୁଳନାରେ

ସେମାନେ ଅଟନ୍ତି ନଗଣ୍ୟ ବେଭାରେ ।

ବ୍ୟାସ ବାଲମୀକ-କୀରତି ସଙ୍ଗତେ

ସରିକି ହୋଇବ ଆଉ କୃତି ସତେ ?

ସ୍ୱଭାବେ ତୁ ମାଲ୍ୟ-ଗିରି ଗିରିନିଧି,

ଯଦି ନାହିଁ ତୋର ପୁରାଣେ ପ୍ରସିଦ୍ଧି ।

ନଶ୍ୱର ସଂସାର କପଟର ଗଡ଼,

ବଡ଼ ଯହିଁ ସାନ ସାନ ପୁଣି ବଡ଼ ।

ଉତ୍କଳ ସ୍ୱରଗେ ତୋରକ୍ଷିଣୀ ବନ

ବିରାଜଇ ଯେହ୍ନେ ନନ୍ଦନ କାନନ ।

ତୋର ଅଧିଷ୍ଠାନ ଛବିଳ ଉତ୍କଳେ

ମଣି କାଞ୍ଚନର ସଂଯୋଗରୁ ବଳେ ।

ଏ ଉତ୍କଳେ ବୀଣା-ପାଣି କୃପା ବିନା

ଅରଣ୍ୟ ପ୍ରସୂନ ଦଶା ତୋର ସିନା ।

ସର୍ବଦା ଥିବ କି ତୋର ଅପମାନ,

ଘୁଞ୍ଚିବ ସେ ଦିନେ, ବଢ଼ିବ ସମ୍ମାନ ।

ଚକ୍ରନେମି ପରି ଭାଗ୍ୟ ଏ ଭବରେ

ଘୁରେ କେବେ ତଳେ କେବେ ବା ଉପରେ ।

କବିର ତୁ ହେବୁ ବିନୋଦନ ଶାଳା

କୋବିଦର ହେବୁ ହୃଦ ଜପମାଳା ।

ତୋ ଦେହ ଆଶ୍ରିବେ ପରମ ଈଶ୍ୱର

ଭକ୍ତର ତୁ ହେବୁ କଳ୍ପ ଧରାଧର ।

ବାଜିବ ମଙ୍ଗଳ ଉତ୍ସବ ବାଜଣା,

ଗିରିରାଜ ମଧ୍ୟେ ହେବୁ ଅଗ୍ରେ ଗଣା ।

ଚିହ୍ନାଇବ ତୋତେ ଏ କ୍ଷୁଦ୍ର କବିତା,

ନାଚିବ ନୟନେ ତୋ-ଶୋଭା-ଶାଳିତା ।

ଉତ୍କଳର ଅଟୁ ତୁ ସାରସଂଗ୍ରହ,

କରିବ କେ ରୂପେ ତୋ ସଙ୍ଗେ ବିଗ୍ରହ ।

ଯେ ଛବି ଅଦୃଷ୍ଟ ତୋର କଳେବରେ,

ସେ-ଛବି-ଅଭାବ ଛବିଳ ଉତ୍କଳେ ।

ଅଶୋକ, ବକୁଳ, ଶେଫାଳୀ, କେତକୀ,

ନାଗେଶ୍ୱର, ଚମ୍ପା, ଘୂରୁଡ଼ୁ, ଧାତକୀ;

ଏ ଆଦି ପାଦପେ କରୁଛନ୍ତି ଲୀଳା ।

କାହିଁ ବା ଝରଣା ପ୍ରସନ୍ନ ସଲିଳା ।

ବନଦେବୀ କର୍ଣ୍ଣ-ସ୍ୱର୍ଣ୍ଣ ଅଳଂଙ୍କାର

ଶୋହେ ଠାବେ ଠାବେ ତୋର କର୍ଣ୍ଣିକାର ।

ପ୍ରକୃତି ସୁନ୍ଦରୀ କେଶ ପାଶ ଝରା

ଦିଶେ ତୋ କେତକୀ ବାସମନୋହରା ।

ତୋ-ତମାଳ-ନୀଳ କୁନ୍ତଳା ମେଦିନୀ

ପୁଷ୍ପରଜୋବ୍ୟାଜ-କୁଙ୍କୁମ ଶୋଭିନୀ ।

ନାନା ବନସ୍ପତି-ବ୍ରତତୀ ଶୋଭିତ

ଅରଣ୍ୟାନୀ ତୋର ଝିଲ୍ଲୀ ଝଙ୍କାରିତ ।

ଦିବସେ ଅନ୍ଧାରେ ନ ଦିଶଇ ବାଟ

ରମନ୍ତି ଅଜସ୍ରେ ନୈଶ ଖଗ ଥାଟ ।

ଦର୍ଶନିଶିଥିନୀ ଅନ୍ଧକାର ରାଶି

ରବିଭୟେ ତହିଁ ଠୁଳେ କି ବିଭାସୀ ।

ତୋ ଅନ୍ଧାର ବନ କାହିଁ ତାରକିତ,

ଶୁଭ୍ର ସ୍ୱଚ୍ଛ ପୁଷ୍ପେ ଆହା କି ଶୋଭିତ ।

ମନ୍ଦ ବାତେ ତହୁଁ ପ୍ରସରଇ ଗନ୍ଧ

ଧାମଇ ଗୁଞ୍ଜରି ଅଳି ବାସ ଅନ୍ଧ ।

କାହିଁ ବଂଶବନେ ଶୋଭଇ ନିର୍ଝ୍ଝର,

ଝର୍ଝ୍ଝର ଶବଦେ କାନନ ମୁଖର ।

କାହିଁ ଜଟା ମାଁସୀ ବନତପସ୍ୱିନୀ,

ଶୋହେ, କାହିଁ ଭୂମି କୂଟଜ ଶୋଭିନୀ ।

ନବ ଯଉବନୀ ସୁନ୍ଦରୀ ବ୍ରତତୀ

ଅଭିନବ ପ୍ରେମ-ଶୀଳା ବ୍ରୀଡ଼ାବତୀ ।

ଆଶ୍ରିଛି କାହିଁ ବା ରସାଳ ବିଟପୀ,

ବିଟ ବାତ ସ୍ପର୍ଶେ ଦେହ ଉଠେ କମ୍ଫି ।

ଶୋଭା ରାଣୀ ଝରା ଲୋଚନ ରୋଚକ

ତୋ-ସିଡ଼-ଆଣ୍ଠୁଆ କୁସୁମ ସ୍ତବକ ।

କିନ୍ତୁ ନାହିଁ ଗନ୍ଧ, ତେଡ଼େ ସୁରୁଚିର !

ସବୁଠାରେ ସବୁ ନ ଥାଏ ବିଧିର ।

ଦେଖ କି ସୁନ୍ଦର ! ତୋ ବଂଶ କରୀର

ସୁରୁଚିର କୁନ୍ତ ପ୍ରକୃତି ଦେବୀର ।

କି ସୁନ୍ଦର ତୋର ସରୁଆ ଶିକୁଳା,

ଯା ଘେନି ଦୁଃଖିଙ୍କ ବାସ ଅମୁକୁଳା ।

ରଜତ ପ୍ରସୂନେ ପଦ୍ମରାଗ ଫଳେ

ବିଭାସୀ ଅଠିଳ-ଶୋଭା ଗିର ବଳେ ।

ଦିଶଇ ପ୍ରକାଣ୍ଡ କାଣ୍ଡ ଯାର ଧଳା

କ୍ଷୁଦ୍ର ପର୍ଣ୍ଣାବଳୀ ସ୍ନିଗ୍ଧ ପୁଣି କଳା ।

କେଡ଼େ ଉପାଦେୟ ତୋ ଶିଆଳୀ ଲତା,

ଯା ପତ୍ରେ ନିର୍ମିତ ଖଲ୍ଲି, ପାତ୍ର, ଛତା ।

ନୃପ ଅଭିଷେକେ ଝାଡ଼ ବିନୋଦିଆ,

କୃଷ୍ଣାଙ୍ଗ ସହର କାଇଞ୍ଚ ମାଳିଆ;

ବିରଚି ଯାପତ୍ରେ ଶ୍ୟାମଳ ପଗଡ଼ି

ଟେକି ନୃପ ଶିରେ ଦ୍ୟନ୍ତି ଜୟରଡ଼ି ।

ତୋ ଅଶନ ନବ-ନୀରଦ ଶ୍ୟାମଳ

ବୟୋବୃଦ୍ଧି ଯୋଗୁଁ ବିଦୀର୍ଣ୍ଣ ବଳ୍କଳ ।

ସୁବିଶାଳ ତୋର ନ୍ୟଗ୍ରୋଧ ପାଦପ

ଛାୟାଦାନେ ରତ କଳପ କଳପ ।

ଏଆଦି ଉଦ୍ଭିଦେ ଶୋଭିତ ତୋ ଅଙ୍ଗେ

ପ୍ରକୃତି ସୁନ୍ଦରୀ ଖେଳେ ନାନା ରଙ୍ଗେ ।

ସକଳ ଜୀବର ତୁ ଅଟୁ ଆକର

ବର୍ଣ୍ଣିବାକୁ କାହିଁ ଶକତି ଲୋକର ।

ସ୍ୱର୍ଗୀୟ ସମ୍ପଦେ ପୂର୍ଣ୍ଣ ତୋ-ଅଟବୀ,

କଳି ନୁହେଁ ତାର ରମଣୀୟ ଛବି ।

ମନ୍ଦାନିଳେ ଝୁଲୁ ଅଛି ନଳବନ,

କୂଢ଼କୂଢ଼ ପତ୍ର ତଳେ ସୁଶୋଭନ ।

ପନ୍ତି ପନ୍ତି ହୋଇ କାହିଁ ବାୟା ବଣି,

କାହିଁ ବା ଅସଂଖ୍ୟ ଶୁକ ପକ୍ଷିମଣି ।

କାହିଁ ଭରତିଆ ବିରଳ ନିସ୍ୱନେ

ଚାରୁ ଲାସ୍ୟେ ଉଡ଼େ ଉଲ୍ଲାସେ ଗଗନେ ।

କାହିଁବା କପୋତୀ ବସି ତରୁଡାଳେ

ରାବଇ କରୁଣେ ପତ୍ର ଅନ୍ତରାଳେ ।

ଶୁଣ୍ଡ ଟେକି କାହିଁ ଆସୁଛି ପଲାଶି

ନାଶି ଦନ୍ତାବଳ ତରୁ ଗୁଳ୍ମ ରାଶି ।

ଉଡ଼ାଇ ଦିଅଇ କର୍ଣ୍ଣପଙ୍ଖା ଚାଳି

ମଦ ସୁବାସିତ ଗଣ୍ଡ ମକ୍ଷିକାଳି ।

ପଦଭରେ ତାର କମ୍ପେ ବସୁମତୀ,

ସେ ଶଦ୍ଦେ ଚକିତ କୁରଙ୍ଗ ଦମ୍ପତି ।

ଚାହାନ୍ତି ଉଦ୍ଗ୍ରୀବେ ଛାଡ଼ି ତୃଣାହାର,

ଚାରୁ କର୍ଣ୍ଣ ଗତି ବଚନୁଁ ବାହାର ।

ଚାହିଁ ଏଣେ ତେଣେ କ୍ଷଣେ ହୋଇ ଠିଆ

ଲମ୍ଫ ପରେ ଲମ୍ଫ ଦିଅଇ ଠେକୁଆ ।

ଚିପି ଚିପି ପାଦ ଚାଲଇ ଗୁରାଣ୍ଡି

ଘାସବୁଦା କାହିଁ ଦରାଣ୍ଡି ଦରାଣ୍ଡି ।

ଗୁଣ୍ଡୁଚି ଆକୃତି ବଦନ ଗୋଜିଆ,

ସୂକ୍ଷ୍ମ ପୁଚ୍ଛ ଆହା କି ବଳିବଳିଆ ।

ଟିପ ମାଡ଼ି ଯେବେ ପଡ଼େ ସେ ପେଟାଇ

ଥକାମରା ବୀରେ ନପାରି ଉଠାଇ ।

ସମ୍ୱର ଆକୃତି ତୁରଙ୍ଗ ଟାପୁଆ

ବିଶଦ କନ୍ଧର ଘଡ଼ିଙ୍ଗର ଛୁଆ;

ଜନନୀ ସଙ୍ଗତେ ହର୍ଷେ ମାରି କୁଦା

ଭ୍ରମଇ ଅରଣ୍ୟେ ଶୁଙ୍ଗି ଶୁଙ୍ଗି ବୁଦା ।

ଭୀଷଣ ଶାର୍ଦ୍ଦୂଳ କାହିଁ ବା ପ୍ରାନ୍ତରେ

ହଣ୍ଟାଳି ଭୈରବେ ଗରବେ ସଞ୍ଚରେ ।

ବରାହ ସୂତୀକ୍ଷ୍ମ ବିଷାଣ-ଭୀଷଣ,

ଦନ୍ତା-ବଳ କରୀ କେଶରୀ ବାରଣ ।

ବିକଟ ଭଲ୍ଲୁକ ଦେହ ରୋମମୟ,

ସମ୍ୱର, ଜମୂକ ଆଦି ଜୀବଚୟ ।

ତୋରାଜ୍ୟେ ଶୋଭନ୍ତି ଶୈଳ ଅପ୍ରମିତ,

ଅପ୍ରଧୃଷ୍ୟ ତୁହି ତୋ ତେଜ ଅମିତ ।

ଠାବେ ଠାବେ ଦେଖି ବିଭବ ପୁରାଣ

ପୂରିତ ସାତ୍ୱିକ-ଭାବେ ମୋ ପରାଣ ।

ଦୁର୍ଦ୍ଧର୍ଷ ଜୁଆଙ୍ଗ ଦିଗମ୍ୱର ବେଶ

ନାହିଁ ତହିଁ ନୀଚ କୂଟ ରୀତି ଲେଶ ।

ମିଥ୍ୟା ନଜାଣଇ କଦାପି ଜୀବନ,

ଫଳ ମୂଳାହାରୀ ପଲ୍ଲବ ବସନ ।

ପର ପଦାର୍ଥରେ ନ ଥାଏ ମାନସ

ଉଚ୍ଛୁଳେ ହୃଦୟେ ରାଜ ଭକ୍ତି ରସ ।

କଟି ବେନି ପାର୍ଶ୍ୱେ ପତ୍ର ମିଶା ଡାଳ

ଝୁଲଇ ନ ଜାଣେ ମନ ମାୟାଜାଳ ।

କେଡ଼େ ଅକୃତ୍ରିମ ନୟନ ଚାହାଣୀ

ସ୍ମରାଏ ମାନସେ ପୁରାତନ ଠାଣୀ ।

ଦେଖି ସେ ଅଦ୍ଭୁତ ରୂପ ଗଉରବ

ନାଚିଲା ହୃଦୟେ ପୁରାଣ ବିଭବ ।

ଧିକ୍କାରିଲା ମନ ନୂତନ ସଭ୍ୟତା,

ଦେଖାଏ କପଟେ ଯେ ବହୁ ଯୋଗ୍ୟତା ।

ନାହିଁ ଯା ତୋଅଙ୍ଗେ ନାହିଁ ତା ଉତ୍କଳେ,

ବିଭବ ତୋହର ବଚନରୁ ବଳେ ।

କି ବର୍ଣ୍ଣିବି ତୋର ହେ ମାଲ୍ୟ ଅଚଳ,

ସାଂସାରିକ ଦୁଃଖେ ଡହଳ ବିକଳ ।

ଅଦ୍ଭୁତ ସଂସାରେ ମୋପ୍ରାଣ ଅଦ୍ଭୁତ,

ଆକସ୍ମିକେ ନାନା ବିପଦ ସମ୍ଭୁତ ।

ସଡ଼ଇ ରୋଗରେ ସଦା କଳେବର,

ନୈରାଶ୍ୟ କାଳିମା-ଆବୃତ ଅନ୍ତର ।

ମୁଖେ ତୁଚ୍ଛାହସ, ଅନ୍ତରେ ବିଷାଦ,

ଘୋଟିଅଛି ଦେହ ଯାକ ଅବସାଦ ।

ତିଳେ ନାହିଁ ହର୍ଷ ପରାଣ ଭିତରେ,

ସର୍ବଦା ନିମଗ୍ନ ଅଭାବ ସାଗରେ ।

ଦାରିଦ୍ର୍ୟ ପାବକ-ବିଦଗ୍ଧ ହୃଦୟ,

କବିତା ଦେବୀର ନୁହେଁ ସୁଖାଳୟ ।

ଚିନ୍ତାନଳେ ପୋଡ଼ି ଯାଏ ଭାବରାଶି,

ପଳାଏ କଳ୍ପନା ଦୁଃଖ ସ୍ରୋତେ ଭାସି ।

ଦଇବର ସିନା ଏ କୂଟ ପ୍ରଭାବ

ଚିହ୍ନିବାକୁ ଧନ ଚିହ୍ନରା ଅଭାବ ।

ପ୍ରକୃତ କଥାରେ ସମସ୍ତେ ବଇରୀ

ତୋଷାମଦ ପ୍ରିୟ ବଡ଼ଲୋକ ଗିରି ।

କାହା ଦୁଃଖ କେହି ନଚିହ୍ନେ ସଂସାରେ

ସର୍ବେ ସ୍ୱାର୍ଥପାଶ-ଜଡ଼ିତ ବେଭାରେ ।

କେଅବା ଚିହ୍ନୁଛି ପାଣ୍ଡିତ୍ୟର ଛଟା

ବିବିଧ ଇଙ୍ଗିତେ କରୁଥାନ୍ତି ଥଟା ।

ଯେ ଦେଶର ଅଟେ ଏପରି ବେଭାର

ସେ ଦେଶକୁ ମୋର ଅସଂଖ୍ୟ ଜୁହାର ।

ବିଜନ ବିପିନ ବାସ ଶ୍ରେୟସ୍କର,

ନ ରହିବ ମଧ୍ୟେ କପଟ ଭବର ।

ଜଡ଼ ହେବା ଭଲ ଏ ପାପ ସଂସାରେ

ମାନବ ଜୀବନ ପୂର୍ଣ୍ଣ ହାହାକାରେ ।

ତଥାପି କରିଲି ଯାହା ମୁଁ ଆହାବ

ସେ ସିନା ତୋହର ବିଭବ ପ୍ରଭାବ ।

ଧନ୍ୟ ମାଲ୍ୟଗିରି ତୋହର ଜନମ,

ସଂସାର ଯନ୍ତ୍ରଣା ନଜାଣେ ମରମ ।

ନାହିଁ ତୋର ହୃଦେ ସ୍ୱାର୍ଥ ଅହଂକାର,

ବ୍ରତ ତୋର ସଦା ପର ଉପକାର ।

କବିତା ଦେବୀର ରମ୍ୟ ନିକେତନ

ତୋର ଏ ବିଶାଳ ଦେହ ସୁଶୋଭନ ।

ହେ ଗିରୀନ୍ଦ୍ର ତୋର ମାରକତ ଚୂଡ଼ା

କବି ତୁଳନାର ସେ ବିବେକ ବୁଡ଼ା ।

ତୋତେ ଲଭି ସଦା ହସଇ କବିତା

ସରୋଜିନୀ ଲିଭି ଯେସନ ସବିତା ।

ତୋର ଗିରି ରାଣ; ସୁଷମା ମାଧୁରୀ

ପ୍ରଦର୍ଶିଲା ସିନା ମୋର ବାହାଦୁରୀ ।

ତୋଶୋଭା ବର୍ଣ୍ଣନେ ନୁହେଁ ମୁଁ ଭାଜନ

ନିଜଗୁଣେ କର ମୋ ଦୋଷ ମାର୍ଜ୍ଜନ ।

Image